Tue. Jun 9th, 2026

ନ୍ୟୁଜ ଡେକ୍ସ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୪୧ତମ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୫ଟି ପ୍ରମୁଖ ବିଭାଗର ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ସବୁଜ ସଙ୍କେତ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି ଯେ ଗୃହ ଓ ନଗର ଉନ୍ନୟନ ବିଭାଗର ୪ଟି, ଶିଳ୍ପ ବିଭାଗର ୨ଟି, ଜଳ ସମ୍ପଦ ବିଭାଗର ୨ଟି, ରାଜସ୍ୱ ବିଭାଗର ୧ଟି ଏବଂ ପର୍ଯ୍ୟଟନ ବିଭାଗର ୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

କ୍ୟାବିନେଟ୍‌ରେ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ଥିବା ନଦୀପଠା ଓ ଜଳାଶୟର କାୟାକଳ୍ପ ପରିବର୍ତ୍ତନ ପାଇଁ ‘ସହରାଞ୍ଚଳ ଜଳ ତଟ ବିକାଶ ଯୋଜନା’କୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ପାଇଁ ୫୦୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି। ଯୋଜନା ଅଧୀନରେ ସମ୍ବଲପୁର ଓ କଟକର ମହାନଦୀ ପଠା, ଭୁବନେଶ୍ୱରର ଦୟା ଓ ଗଙ୍ଗୁଆ ନଦୀ, ରାଉରକେଲାର ବେଦବ୍ୟାସ ସ୍ଥିତ ବ୍ରାହ୍ମଣୀ ନଦୀ ପଠାର ସୌନ୍ଦର୍ଯ୍ୟକରଣ ଓ ବିକାଶ କରାଯିବ।ରାଜଧାନୀ ଭୁବନେଶ୍ୱରରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପାଇଁ TP-1, TP-2 ଓ TP-3 ଅଞ୍ଚଳରେ ୨୪ ଘଣ୍ଟିଆ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ ପାଇଁ ୧୧୨.୩୧ କୋଟି ଟଙ୍କା ବ୍ୟୟ ହେବ। ସେହିପରି ଭୁବନେଶ୍ୱର ଦେଇ ପ୍ରବାହିତ ଗଙ୍ଗୁଆ ନାଳର ଜଳ ବିଶୋଧନ ପାଇଁ ୧୦୮.୯ କୋଟି ଟଙ୍କାର ବ୍ୟୟବରାଦକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।ନୟାଗଡ଼ ଜିଲ୍ଲାର ବହୁପ୍ରତୀକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ୧୯୪ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି।

ଏହି ପ୍ରକଳ୍ପ ଚାଷୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି।ସମ୍ବଲପୁରର ମହାନଦୀ ଆୟୋଧ୍ୟା ସାଗର ଜଳାଶୟ ପ୍ରକଳ୍ପ ପାଇଁ ୪୪୦.୩୩ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ପାନୀୟ ଜଳ ସମସ୍ୟା ସମାଧାନ ସହ ପର୍ଯ୍ୟଟନର ବିକାଶ ଓ ସମଲେଶ୍ୱରୀ ମନ୍ଦିର ନିକଟରେ ଭବ୍ୟ ଆଳତି ଘାଟ ନିର୍ମାଣ ହେବ।ପର୍ଯ୍ୟଟନ କ୍ଷେତ୍ରରେ ୨୦୪୭ ସୁଦ୍ଧା ୨୫,୦୦୦ ନୂଆ ରୁମ୍ ନିର୍ମାଣ ପାଇଁ ସରକାର ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ପ୍ରମୁଖ ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ବେସରକାରୀ ସହଭାଗିତାରେ ଷ୍ଟାର୍ ହୋଟେଲ ନିର୍ମାଣ ପାଇଁ ମଧ୍ୟ କ୍ୟାବିନେଟ୍ ସବୁଜ ସଙ୍କେତ ଦେଇଛି। ରାଜ୍ୟ ସରକାରଙ୍କ ଏହି ସମସ୍ତ ନିଷ୍ପତ୍ତି ଓଡ଼ିଶାର ଭିତ୍ତିଭୂମି, ସହରାଞ୍ଚଳ ବିକାଶ ଓ ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଦିଗ ଦେବ ବୋଲି ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *