ନ୍ୟୁଜ ଡେକ୍ସ : ମୟୂରଭଞ୍ଜ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ଏକ ବୃହତ୍ ବିକାଶ ପ୍ୟାକେଜ ଘୋଷଣା କରିଛନ୍ତି। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ ଉଦ୍ଘାଟନ ସହ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ୪୩୦ କୋଟିରୁ ଅଧିକ ଟଙ୍କାର ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।ମୋଟ ୪୩୦ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟରେ ମୟୂରଭଞ୍ଜର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ ରଖାଯାଇଛି।
ଏହି ବ୍ୟୟବରାଦ ଅଧୀନରେ ଗମନାଗମନ, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଜନକଲ୍ୟାଣମୂଳକ କ୍ଷେତ୍ର ସହିତ ସମ୍ପୃକ୍ତ ମୋଟ ୩୯ଟି ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।ଏଥିରେ ୨୮୨ କୋଟିରୁ ଅଧିକ ଟଙ୍କାର ୨୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ୧୪୯ କୋଟିରୁ ଅଧିକ ଟଙ୍କାର ୧୮ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରାଯାଇଛି। ସେହିପରି ପ୍ରାୟ ୧୦୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୮୩ଟି ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ ଉଦ୍ଘାଟନ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନର ସରକାର ଆସିବାର ମାତ୍ର ୨୦ ମାସ ମଧ୍ୟରେ ଯାଜପୁର, କନ୍ଧମାଳ ଓ ତାଳଚେରରେ ୩ଟି ନୂଆ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଛି। ଗତ ଫେବୃଆରୀରେ ନବରଙ୍ଗପୁରରେ ମେଡିକାଲ କଲେଜ ସ୍ଥାପନ ପାଇଁ ଶୁଭାରମ୍ଭ ହୋଇଥିବା ବେଳେ ଆସନ୍ତା ଦିନରେ ଢେଙ୍କାନାଳ, ଜଗତସିଂହପୁର ଓ ଭଦ୍ରକରେ ମଧ୍ୟ ମେଡିକାଲ କଲେଜ ସ୍ଥାପନ ହେବ ବୋଲି ସେ ସୂଚନା ଦେଇଛନ୍ତି।ମୟୂରଭଞ୍ଜର ଏହି ବିଶାଳ ବିକାଶ ପ୍ୟାକେଜ ଜିଲ୍ଲାର ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ଜନସେବା କ୍ଷେତ୍ରକୁ ନୂଆ ଗତି ଦେବ ବୋଲି ଆଶା ପ୍ରକାଶ ପାଇଛି।

