ନ୍ୟୁଜ ଡେକ୍ସ : ରଜ ପୂର୍ବରୁ ଓଡ଼ିଶାକୁ ମୌସୁମୀ ବାୟୁ ଛୁଇଁବା ସମ୍ଭାବନା ରହିଛି। ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ପ୍ରବେଶ କରିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ବର୍ତ୍ତମାନ ମୌସୁମୀ ବାୟୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର କିଛି ଅଞ୍ଚଳକୁ ପହଞ୍ଚି ସାରିଛି। ଏହା ଆହୁରି ଅଗ୍ରସର ହୋଇ ପଶ୍ଚିମ-ମଧ୍ୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର କିଛି ଅଞ୍ଚଳକୁ ପହଞ୍ଚିବା ପାଇଁ ଅନୁକୂଳ ପାଣିପାଗ ପରିସ୍ଥିତି ରହିଛି।
ଓଡ଼ିଶାରେ ଏହି ସମୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବା ସହ ବ୍ୟାପକ କାଳବୈଶାଖୀ ପ୍ରଭାବ ଦେଖାଦେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ କରାଇଛି। ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟ ପାଇଁ କାଳବୈଶାଖୀ ଆଲର୍ଟ ଜାରି କରାଯାଇଛି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ପବନ ନେଇ ଚେତାବନୀ ଦିଆଯାଇଛି।ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୧୧ ତାରିଖରେ କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
୧୨ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତିରେ ମଧ୍ୟ ଭାରି ବର୍ଷା ହୋଇପାରେ। ସେହିପରି ୧୨ ଓ ୧୩ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଏହି ପରିସ୍ଥିତିରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ କାଳବୈଶାଖୀ ସତର୍କତା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପୁନର୍ବାର ସୂଚନା ଦେଇଛି।

