ନ୍ୟୁଜ ଡେକ୍ସ : ୟେମେନରୁ ନିକ୍ଷେପ କରାଯାଇଥିବା ଏକ କ୍ଷେପଣାସ୍ତ୍ରକୁ ଅଟକାଇବା ପରେ ଇସ୍ରାଏଲ ସୋମବାର ଅସ୍ଥାୟୀ ଭାବରେ ତାହାର ଆକାଶ ମାର୍ଗ ବନ୍ଦ କରିଦେଇଛି। ଇସ୍ରାଏଲୀ ସେନାର ସୂଚନା ଅନୁଯାୟୀ, ତେଲ ଅଭିଭ କ୍ଷେତ୍ର ସହିତ କେନ୍ଦ୍ରୀୟ ଏବଂ ଦକ୍ଷିଣ ଇସ୍ରାଏଲର କିଛି ଅଞ୍ଚଳରେ ସାଇରନ୍ ବାଜିବା ପରେ ସେମାନେ ଏହି କ୍ଷେପଣାସ୍ତ୍ରକୁ ଅଟକାଇ ଦେଇଥିଲେ।
ହୋମ୍ ଫ୍ରଣ୍ଟ କମାଣ୍ଡ ପକ୍ଷରୁ କ୍ଷେପଣାସ୍ତ୍ର ଉତକ୍ଷେପଣ ଚିହ୍ନଟ ହେବା ପରେ ପୂର୍ବରୁ ଚେତାବନୀ ଜାରି କରାଯାଇଥିଲା।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଘଟଣା ପରେ ଇସ୍ରାଏଲ କର୍ତ୍ତୃପକ୍ଷ ଦେଶର ଆକାଶ ସୀମାକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ମଧ୍ୟ ଲେବାନନର ଦକ୍ଷିଣ ଉପନଗର ଅଞ୍ଚଳରେ ଇସ୍ରାଏଲୀ ବିମାନ ଆକ୍ରମଣ ପରେ ଉତ୍ତର ଇସ୍ରାଏଲ ଦିଗରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଖବର ମିଳିଥିଲା। ପରେ ଇସ୍ରାଏଲ ପଶ୍ଚିମ ଏବଂ କେନ୍ଦ୍ରୀୟ ଇରାନ ଉପରେ ମଧ୍ୟ ଆକ୍ରମଣ କରିଥିବା ଦାବି ହୋଇଛି।
ତେହେରାନ, ଇସ୍ଫାହାନ ଏବଂ ତାବ୍ରିଜ୍ ସମେତ ଅନେକ ଇରାନୀ ସହରରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ସେହିପରି ଇରାକୀ ନାଗରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି ଯେ ଦେଶର ଆକାଶ ମାର୍ଗ ଆଗାମୀ ବାର ଘଣ୍ଟା ପାଇଁ ବନ୍ଦ ରହିବ। ଡାମାସ୍କସ୍ ବିମାନବନ୍ଦରକୁ ଉଡ଼ାଣ ମଧ୍ୟ ସ୍ଥଗିତ କରାଯାଇଛି।ସୋମବାର ଇରାନ ପକ୍ଷରୁ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ ହେବା ପରେ ଏହି ପରିସ୍ଥିତି ଗମ୍ଭୀର ରୂପ ନେଇଛି। ଏପ୍ରିଲ ଆଠ ତାରିଖର ଯୁଦ୍ଧବିରତି ପରେ ଏହା ଇରାନର ପ୍ରଥମ ଏପରି କ୍ଷେପଣାସ୍ତ୍ର ଆକ୍ରମଣ ବୋଲି ସୂଚନା ମିଳିଛି।

