Tue. Jun 9th, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ଯୁକ୍ତ ପ୍ରବେଶିକା ପରୀକ୍ଷା ୨୦୨୬ର ଫଳାଫଳ ଆଧିକାରିକ ଭାବେ ପ୍ରକାଶ ପାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରେଜଲ୍ଟ ବୁକଲେଟ୍ ଉନ୍ମୋଚନ କରି ଏହି ଫଳାଫଳ ଘୋଷଣା କରିଛନ୍ତି। ଚଳିତ ବର୍ଷ ଓଜେଇଇ ପାଇଁ ମୋଟ ୧ ଲକ୍ଷ ୩ ହଜାର ୪୩୪ ଜଣ ପ୍ରାର୍ଥୀ ପଞ୍ଜୀକରଣ କରିଥିଲେ, ଯାହାମଧ୍ୟରୁ ୯୨ ହଜାର ୬୨୮ ଜଣ ପରୀକ୍ଷାର୍ଥୀ କମ୍ପ୍ୟୁଟର ଆଧାରିତ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଉପସ୍ଥାନ ହାର ୮୯.୫୫ ପ୍ରତିଶତ ରହିଥିବା ସୂଚନା ମିଳିଛି।

ବିଭିନ୍ନ ବିଷୟରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ବି.ଫାର୍ମରେ ଶୁଭ୍ରାଂଶୁ ସୂତାର, ଏମ୍‌ବିଏରେ ତ୍ରିବିକ୍ରମ ପ୍ରଧାନ, ଏମ୍‌ସିଏରେ ନରେନ ପାତ୍ର ଏବଂ ଏମ୍‌ଟେକ୍‌ରେ ସ୍ୱାଗତ କୁମାର ବେହୁରା ସାମଗ୍ରିକ ଟପ୍ପର ଭାବେ ଉତ୍ତୀର୍ଣ୍ଣ ହୋଇଛନ୍ତି।ପରୀକ୍ଷାର୍ଥୀମାନେ ଓଜେଇଇର ଅଫିସିଆଲ ୱେବସାଇଟ୍‌ରୁ ନିଜର ର୍ୟାଙ୍କ କାର୍ଡ ଡାଉନଲୋଡ୍ କରିପାରିବେ। ଏହାପରେ ସରକାରୀ ଓ ବେସରକାରୀ କଲେଜରେ ନାମଲେଖା ପାଇଁ କାଉନସେଲିଂ ପ୍ରକ୍ରିୟାରେ ସେମାନେ ଅଂଶଗ୍ରହଣ କରିପାରିବେ।

ଗତ ମେ’ ୪ ରୁ ୧୦ ତାରିଖ ମଧ୍ୟରେ ରାଜ୍ୟର ୩୦ ଜିଲ୍ଲାର ୯୩ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। କୋଲକାତା, ରାଞ୍ଚି ଏବଂ ପାଟନା ଭଳି ସହରରେ ମଧ୍ୟ ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା ଥିଲା। ଅନ୍ୟପଟେ ଆଗାମୀ ୨୦୨୬-୨୭ ଶିକ୍ଷାବର୍ଷରେ ୧୬ଟି ନୂଆ ବୈଷୟିକ ଓ ବୃତ୍ତିଗତ ଶିକ୍ଷା କାର୍ଯ୍ୟକ୍ରମ ସାମିଲ କରାଯିବ ବୋଲି ବିଭାଗ ସୂଚନା ଦେଇଛି। ଚଳିତ ମାସର ତୃତୀୟ ସପ୍ତାହରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବା ସହ ପରୀକ୍ଷାର୍ଥୀମାନେ ନିଜ ଭବିଷ୍ୟତ ଶିକ୍ଷା ପାଇଁ ପରବର୍ତ୍ତୀ ପଦକ୍ଷେପ ନେବେ।

Leave a Reply

Your email address will not be published. Required fields are marked *