Thu. Oct 23rd, 2025

ନ୍ୟୁଜ ଡେକ୍ସ : ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସିର ଖବର। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅଧୀନରେ ଆବେଦନ ତାରିଖକୁ ଆହୁରି ୧୪ ଦିନ ବଢ଼ାଯାଇଛି। ଏବେ ଛାତ୍ରଛାତ୍ରୀମାନେ ଅକ୍ଟୋବର ୨୪ ପର୍ଯ୍ୟନ୍ତ ଆବେଦନ କରିପାରିବେ।ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୦୨୫–୨୬ ଶିକ୍ଷାବର୍ଷ ପାଇଁ ଇ-ମେଧାବୃତ୍ତି, ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି ଏବଂ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ପାଇଁ ଆବେଦନ ଶେଷ ତାରିଖ ପୂର୍ବରୁ ଅକ୍ଟୋବର ୧୦ ରହିଥିଲା, ଯାହାକୁ ବଢ଼ାଇ ଅକ୍ଟୋବର ୨୪ ପର୍ଯ୍ୟନ୍ତ କରାଯାଇଛି।

ଇ-ମେଧାବୃତ୍ତି ଓ ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି ପାଇଁ ଆବେଦନ ଫର୍ମଗୁଡିକୁ ୩୧ ତାରିଖ ମଧ୍ୟରେ ଯାଞ୍ଚ କରାଯିବ । ସେହିପରି, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାର ଫର୍ମଗୁଡିକ ଯାଞ୍ଚ ପାଇଁ ନଭେମ୍ବର ୧୦ ଶେଷ ତାରିଖ ରଖାଯାଇଛି ।ବୃତ୍ତି ପାଇଁ ଆବେଦନ କରିବାକୁ ହେଲେ www.scholarship. odisha.gov.in ରେ ଯାଇକି ଆବେଦନ କରିବାକୁ କୁହାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଇ-ମେଧାବୃତ୍ତି ମାଧ୍ୟମରେ ସ୍ନାତକ ଛାତ୍ରୀଛାତ୍ରଙ୍କୁ ୧୦ହଜାର, ସ୍ନାତକୋତ୍ତରଙ୍କୁ ୧୫ ହଜାର ଏବଂ ବୈଷୟିକ ଓ ବୃତ୍ତିଗତ ଛାତ୍ରୀଛାତ୍ରଙ୍କୁ ୨୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ ।

ଗୋପବନ୍ଧୁ ଯୋଜନାରେ ଯେଉଁ ପିଲାଙ୍କର ପାରିବାରିକ ଆୟ ୨ଲକ୍ଷ ୫୦ ହଜାର ଟଙ୍କାରୁ କମ୍‌ ରହିଛି, ସେମାନଙ୍କୁ ପ୍ରତି ବର୍ଷ ୨୦ହଜାର ଟଙ୍କା ବୃତ୍ତି ପ୍ରଦାନ କରାଯାଉଛି ।ସେହିପରି ଓଡ଼ିଆ ସ୍ନାତକୋତ୍ତର ପାଠ୍ୟକ୍ରମରେ ଯୋଗ୍ୟତା ଅର୍ଜନ କରିଥିବା ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କୁ ଏକକାଳୀନ ୩୦ହଜାର ଟଙ୍କା ଏବଂ ଓଡ଼ିଆ ସମ୍ମାନ(ମେଜର)ସ୍ନାତକ ପାଠ୍ୟକ୍ରମରେ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ଏକକାଳୀନ ୨୦ ହଜାର ଟଙ୍କା ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବ ।

Leave a Reply

Your email address will not be published. Required fields are marked *