Fri. Feb 27th, 2026

ନ୍ୟୁଜ ଡେକ୍ସ : ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ସଚେତନତା ସତ୍ତ୍ୱେ ଆଜି ବି ସମାଜରୁ କୁଳ ବାସନ୍ଦ ପରମ୍ପରା ହଟିପାରୁନି। ଏପରିକି ଏହାର ଶିକାର ହେଉଛନ୍ତି ସରକାରୀ ଅଧିକାରୀମାନେ ମଧ୍ୟ। ଗଞ୍ଜାମ ଜିଲ୍ଲା ଆସିକା ତହସିଲର ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କ ପରିବାରକୁ କୁଳ ବାସନ୍ଦ କରାଯାଇଥିବା ଅଭିଯୋଗ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି।

ଅଭିଯୋଗକୁ ଭିତ୍ତି କରି ଛତ୍ରପୁର ଥାନା ପୋଲିସ ୯ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ସୂଚନା ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ପ୍ରଦାନ କରିଛନ୍ତି। ସୂଚନାମୁତାବକ, ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କ ଘର ଛତ୍ରପୁର ଥାନା ଅଧୀନ ମୁନିଷିପେଣ୍ଠ ଗ୍ରାମରେ। ସେ ଗତ ଫେବୃଆରୀ ମାସରେ ଅନ୍ୟ ଜାତିର ଝିଅଙ୍କ ସହ ବିବାହ କରିଥିଲେ। ଏହାକୁ ନେଇ ବିରୋଧ କରି କୈବର୍ତ୍ତ ସମାଜ ପକ୍ଷରୁ ତାଙ୍କ ପରିବାରକୁ କୁଳ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି।ଏହା ସହିତ, ପରିବାରକୁ ସମାଜର ଏକ ବିବାହ ଭୋଜିରୁ ବାରଣ କରିବା ସହ ଅପମାନିତ କରାଯାଇଥିବା ନେଇ ଅତିରିକ୍ତ ତହସିଲଦାରଙ୍କ ବାପା ବିଜୟ ବେହେରା ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ।

ସେହି ଅଭିଯୋଗ ଭିତ୍ତିରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ଅନ୍ୟପଟେ, ଏହି କୁଳ ବାସନ୍ଦ ଅଭିଯୋଗକୁ କୈବର୍ତ୍ତ ସମାଜ ପକ୍ଷରୁ ଖଣ୍ଡନ କରାଯାଇଛି। ସମାଜର କିଛି ପ୍ରତିନିଧି କହିଛନ୍ତି ଯେ, ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହି ଘଟଣାକୁ ନେଇ ସରା ଗଞ୍ଜାମ ଜିଲ୍ଲାରେ ଏବେ ଚର୍ଚ୍ଚା ତୀବ୍ର ହୋଇଥିବା ବେଳେ, ପୋଲିସ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *