ନ୍ୟୁଜ ଡେକ୍ସ : ଲୋକସଭା ବାଚସ୍ପତି ଓମ୍ ବିର୍ଲା ନିଜ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଏକ ଅସାଧାରଣ ନିଷ୍ପତ୍ତି ନେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କୁ ହଟାଇବା ପାଇଁ ବିରୋଧୀ ସାଂସଦମାନେ ଆଗତ କରିଥିବା ପ୍ରସ୍ତାବ ଉପରେ ଆଲୋଚନା ଓ ନିଷ୍ପତ୍ତି ନ ହେଉଅବଧି, ସେ ଲୋକସଭାର କୌଣସି ବୈଠକରେ ଉପସ୍ଥିତ ରହିବେ ନାହିଁ।ଯଦିଓ ସଂସଦୀୟ ନିୟମ ଅନୁଯାୟୀ ବାଚସ୍ପତିଙ୍କୁ ଏଭଳି ଗୃହକୁ ନ ଆସିବାକୁ କୌଣସି ବାଧ୍ୟବାଧକତା ନାହିଁ, ତଥାପି ଓମ୍ ବିର୍ଲା ନିଜେ ଏହି ନିଷ୍ପତ୍ତି ନେଇଛନ୍ତି।
ସରକାର କିମ୍ବା ବିରୋଧୀ ଦଳ ତାଙ୍କୁ ମନାଇବା ପାଇଁ ଚେଷ୍ଟା କଲେ ମଧ୍ୟ, ସେ ଗୃହକୁ ଯିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।ସୂଚନା ଅନୁସାରେ, ଆସନ୍ତା ମାର୍ଚ୍ଚ ୯ ତାରିଖରେ ବଜେଟ୍ ଅଧିବେଶନର ଦ୍ୱିତୀୟ ଅଂଶର ପ୍ରଥମ ଦିନେ ଓମ୍ ବିର୍ଲାଙ୍କୁ ହଟାଇବା ପ୍ରସ୍ତାବ ଉପରେ ଆଲୋଚନା ହେବା ସମ୍ଭାବନା ରହିଛି। ଏହି ପ୍ରସ୍ତାବକୁ ଗୃହରେ ଗ୍ରହଣ କରିବା ପାଇଁ କମ୍ତରେ ୫୦ଜଣ ସାଂସଦଙ୍କୁ ହାତ ଉଠାଇ ସମର୍ଥନ ଦେବା ଆବଶ୍ୟକ ହେବ। ଏହା ପରେ ଅଧ୍ୟକ୍ଷ ଚାହିଲେ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଅନୁମତି ଦେଇପାରିବେ। ଭାରତୀୟ ସମ୍ବିଧାନର ଧାରା ୯୬(୧) ଅନୁଯାୟୀ, ବାଚସ୍ପତିଙ୍କ ବିରୋଧରେ ବହିଷ୍କାର କିମ୍ବା ଅନାସ୍ଥା ପ୍ରସ୍ତାବ ବିଚାରାଧୀନ ଥିବା ସମୟରେ ସେ ଗୃହର କୌଣସି ବୈଠକରେ ଅଧ୍ୟକ୍ଷତା କରିପାରିବେ ନାହିଁ।
ତେବେ ଏହା ସହିତ ସେ ପ୍ରକ୍ରିୟା ସମୟରେ ଗୃହରେ ଉପସ୍ଥିତ ରହିବା, ନିଜ ମତ ପ୍ରକାଶ କରିବା ଏବଂ ନିଜ ବିରୋଧରେ ଆସିଥିବା ଅଭିଯୋଗରୁ ନିଜକୁ ରକ୍ଷା କରିବାର ଅଧିକାର ରଖନ୍ତି।ଓମ୍ ବିର୍ଲାଙ୍କ ଏହି ନିଷ୍ପତ୍ତିକୁ ରାଜନୈତିକ ମହଳରେ ଗଭୀର ଆଲୋଚନା ଓ ପ୍ରତିକ୍ରିୟା ମିଳୁଛି। ବିରୋଧୀ ଦଳ ଏହାକୁ ଗଣତନ୍ତ୍ରିକ ପ୍ରକ୍ରିୟା ସହ ଜଡିତ ବଡ଼ ପଦକ୍ଷେପ ବୋଲି କହୁଥିବାବେଳେ, ସରକାରୀ ମହଳ ଏହାକୁ ସଂସଦୀୟ ପରମ୍ପରା ଓ ସଂବିଧାନୀୟ ମର୍ଯ୍ୟାଦା ସହ ଯୋଡ଼ି ଦେଖୁଛି। ଆଗାମୀ ଦିନରେ ଏହି ପ୍ରସ୍ତାବ ଉପରେ ଆଲୋଚନା ଓ ନିଷ୍ପତ୍ତି ଲୋକସଭାର ରାଜନୈତିକ ପରିସ୍ଥିତିକୁ ନୂଆ ଦିଗ ଦେବା ସମ୍ଭାବନା ରହିଛି।

