ନ୍ୟୁଜ ଡେକ୍ସ: ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ। ଆଜି ସନ୍ଧ୍ୟା ୫ ଟା ୩୦ରେ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୧୪ ଅକ୍ଟୋବରରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା କାର୍ତ୍ତିକ ନିର୍ଘଣ୍ଟ ଅନୁମୋଦନ ଉପରେ ବିଶେଷ ଆଲୋଚନା ହେବ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୩୦ରେ ବୈଠକ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସହ ଛତିଶା ନିଯୋଗ ନାୟକ ଓ ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକମାନେ ଯୋଗଦେବେ। ବାଳଧୂପ ନୀତିକାନ୍ତି କିଭଳି ସଠିକ ସମୟରେ ସମ୍ପନ୍ନ ହେବ ସେ ଉପରେ ଫୋକସ ରହିବ। ସେହିପରି ନାଟମଣ୍ଡପରେ ଏୟାରକଣ୍ଡିସନ ବ୍ୟବସ୍ଥା ସହ ରାମ୍ପ ସିଷ୍ଟମ ମାଧ୍ୟମରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଓବିସିସିକୁ ଦାୟୁତ୍ୱ ଦିଆଯିବ।
କାର୍ତ୍ତିକ ମାସର ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯିବ। ଏଥିସହ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ ସେନେଇ ବିସ୍ତୃତ ଆଲୋଚନା ହେବ। ଅନ୍ୟପଟେ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପରେ ପ୍ରବଳ ଭକ୍ତଙ୍କ ସମାଗମ ହେଉଥିବାରୁ ଦର୍ଶନ ବ୍ୟବସ୍ଥାରେ କିଭଳି ଶୃଙ୍ଖଳା ଆସିବ ସେନେଇ ମଧ୍ୟ ଆଲୋଚନା ହେବ। ସେହିପରି ରତ୍ନଭଣ୍ଡାର ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରେ।
