ନ୍ୟୁଜ ଡେକ୍ସ : ଅନ୍ତର୍ଜାତୀୟ ମାଗାଜିନ୍ର କଭରପେଜ୍ରେ ଓଡ଼ିଶାର କଳାବାଘ । ନ୍ୟାସନାଲ ଜିଓଗ୍ରାଫିକ କଭରପେଜରେ ଶିମିଳିପାଳର ଗର୍ବ । କଳା ରଙ୍ଗ ପାଇଁ ଚର୍ଚ୍ଚାରେ ଶିମିଳିପାଳର ମହାବଳ ବାଘ । ପ୍ରସେନଜିତ ଯାଦବଙ୍କର ଏକ ଫଟୋଗ୍ରାଫି ଅକ୍ଟୋବର ୨୦୨୫ ସଂସ୍କରଣ ପାଇଁ ପ୍ରତିଷ୍ଠିତ ୱାଇଲ୍ଡଲାଇଫ୍ ମାଗାଜିନ୍ କଭରରେ ଶୋଭା ପାଉଛି।
ନ୍ୟାସନାଲ ଜିଓଗ୍ରାଫିକ୍ ଦ୍ୱାରା ଚୟନ କରାଯାଇଥିବା ଫଟୋଟିର ଓଡ଼ିଶା ସହ ଲିଙ୍କ ରହିଛି। କାରଣ ଉକ୍ତ ଫଟୋ ହେଉଛି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଶିମିଳିପାଳ ଟାଇଗର ରିଜର୍ଭରୁ ଉତ୍ତୋଳନ ହୋଇଥିବା ଏକ ବିରଳ କଳା ବାଘର।ଶିମିଳିପାଳ ଜାତୀୟ ଉଦ୍ୟାନର ଘନ ଜଙ୍ଗଲରେ ଏହି କଳା ବାଘକୁ ଟ୍ରାକ୍ କରିବା ପାଇଁ ପ୍ରସେନଜିତଙ୍କୁ ମାସ ମାସର ଅକ୍ଳାନ୍ତ ପରିଶ୍ରମ ଏବଂ ଧୈର୍ଯ୍ୟର ଆବଶ୍ୟକତା ପଡ଼ିଥିଲା।
ଅଲ୍ ଓଡ଼ିଶା ଟାଇଗର ଏଷ୍ଟିମେସନ୍ (AOTE) ୨୦୨୩-୨୪ ରିପୋର୍ଟ ଅନୁଯାୟୀ, ଶିମିଳିପାଳ ଟାଇଗର ରିଜର୍ଭରେ ୧୩ଟି କଳା ବାଘ ଅଛନ୍ତି। ଆଉ ମୋଟ ବାଘ ସଂଖ୍ୟା ୨୭ ହୋଇଥିବା ବେଳେ ସେଥିରେ ଆଠଟି ବାଘ ଛୁଆ ଅଛନ୍ତି।
