ନ୍ୟୁଜ ଡେକ୍ସ : ନିଖୋଜ ଶିଶୁ ଓ ମହିଳାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ପୁନଃ ପରିବାର ସହ ମିଳନ କରାଇବାରେ ଓଡ଼ିଶା ପୋଲିସ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶନାରେ ଗତ ୨୧ ଜାନୁଆରୀ ୨୦୨୬ ରୁ ୩୦ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ସାରା ରାଜ୍ୟରେ ‘ଅପରେସନ୍ ଅନ୍ୱେଷଣ–୨’ ନାମରେ ବିଶେଷ ଅଭିଯାନ ଚାଲିଥିଲା।
ଏହି ୧୦ ଦିନିଆ ଅଭିଯାନରେ ରାଜ୍ୟର ସମସ୍ତ ଜିଲ୍ଲା, ସହରାଞ୍ଚଳ ପୋଲିସ ଓ ରେଳବାଇ ପୋଲିସ ସମନ୍ୱୟରେ କାର୍ଯ୍ୟ କରି ରେକର୍ଡ ସଂଖ୍ୟକ ୫,୪୫୧ ଜଣ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।ଉଦ୍ଧାର ହୋଇଥିବା ମୋଟ ୫,୪୫୧ ଜଣଙ୍କ ମଧ୍ୟରେ ୭୭ ଜଣ ନାବାଳକ, ୭୦୯ ଜଣ ନାବାଳିକା ଓ ୪,୬୬୫ ଜଣ ମହିଳା ଅନ୍ତର୍ଭୁକ୍ତ ଅଛନ୍ତି। ଏହା ଦ୍ୱାରା ରାଜ୍ୟରେ ନିଖୋଜ ଶିଶୁ ଓ ମହିଳା ସୁରକ୍ଷା ଦିଗରେ ପୋଲିସର ଦୃଢ଼ ସଙ୍କଳ୍ପ ଓ କାର୍ଯ୍ୟକୁଶଳତା ପ୍ରମାଣିତ ହୋଇଛି। ଜିଲ୍ଲା ଭିତ୍ତିକ ଭାବେ ଦେଖିଲେ ପୁରୀ ଜିଲ୍ଲା ପୋଲିସ ସର୍ବାଧିକ ୬୧୩ ଜଣ ନିଖୋଜଙ୍କୁ ଉଦ୍ଧାର କରି ଶୀର୍ଷସ୍ଥାନରେ ରହିଛି। ତାହା ପଛରେ କଟକ ଜିଲ୍ଲା ୫୦୧ ଜଣ ଓ ଭଦ୍ରକ ୪୨୯ ଜଣଙ୍କୁ ଉଦ୍ଧାର କରିଛନ୍ତି।
ଗଞ୍ଜାମରୁ ୪୧୩, କେନ୍ଦ୍ରାପଡ଼ାରୁ ୩୪୬, ଯାଜପୁରରୁ ୨୭୧, ବରଗଡ଼ରୁ ୨୩୬, ଅନୁଗୁଳରୁ ୨୧୦, ଢେଙ୍କାନାଳରୁ ୨୦୬, ଜଗତସିଂପୁରରୁ ୧୭୭, ନୂଆପଡ଼ାରୁ ୧୭୩, ବ୍ରହ୍ମପୁରରୁ ୧୭୦, କେଉଁଝରରୁ ୧୬୧, ସୁନ୍ଦରଗଡ଼ରୁ ୧୩୫, କଟକ ସହରାଞ୍ଚଳରୁ ୧୩୪, କଳାହାଣ୍ଡିରୁ ୧୩୩, ନୟାଗଡରୁ ୧୨୭, ବାଲେଶ୍ୱରରୁ ୧୨୫ ଓ ମୟୂରଭଞ୍ଜରୁ ୧୧୯ ଜଣ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।ଏହି ଅଭିଯାନର ମୂଳ ଲକ୍ଷ୍ୟ ଥିଲା ନିଖୋଜ ଶିଶୁ ଓ ମହିଳାମାନଙ୍କୁ ଶୀଘ୍ର ଉଦ୍ଧାର କରି ସେମାନଙ୍କୁ ପରିବାର ସହ ପୁନଃମିଳନ କରାଇବା ଏବଂ ଆବଶ୍ୟକ ସମସ୍ତ ସୁରକ୍ଷା ଓ ସୁବିଧା ନିଶ୍ଚିତ କରିବା।
ଜିଲ୍ଲା ପୋଲିସ, ରେଳବାଇ ପୋଲିସ ଓ ସହରାଞ୍ଚଳ ପୋଲିସର ସମନ୍ୱିତ ଓ ତ୍ୱରିତ କାର୍ଯ୍ୟ ପଦ୍ଧତି ଯୋଗୁଁ ଏହି ବଡ଼ ସଫଳତା ସମ୍ଭବ ହୋଇପାରିଛି।ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି ଅଭିଯାନର ସଫଳତା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଆଗାମୀ ଦିନରେ ମଧ୍ୟ ନିଖୋଜ ଶିଶୁ ଓ ମହିଳାଙ୍କ ସୁରକ୍ଷା ଓ ଉଦ୍ଧାର ପାଇଁ ଏପରି ଅଭିଯାନକୁ ଆହୁରି ଜୋରଦାର କରାଯିବ।

