ନ୍ୟୁଜ ଡେକ୍ସ : ସାଉଥ ସିନେମା ଜଗତର ସୁପରଷ୍ଟାର ଥଲାପତି ବିଜୟ ଅଭିନୟକୁ ସ୍ଥାୟୀ ଭାବେ ବାଏ ବାଏ କରିଛନ୍ତି। ଦୀର୍ଘ ଦଶନ୍ଧି ଧରି ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ବିଜୟଙ୍କ ଏହି ନିଷ୍ପତ୍ତି ଶୁଣି ତାଙ୍କ ଲକ୍ଷାଧିକ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଯାଇଛି। ‘ଥଲାପତି’ ନାଁ ଶୁଣିବା ମାତ୍ରେ ଯେଉଁ ଫ୍ୟାନ୍ସ କ୍ରେଜ୍ ସୃଷ୍ଟି ହୁଏ, ତାହା ସାଉଥ ସିନେମାରେ ଅଦ୍ୱିତୀୟ।ଶନିବାର ମାଲେସିଆରେ ଆୟୋଜିତ ତାଙ୍କ ଆଗାମୀ ଫିଲ୍ମ ‘ଜନ ନାୟଗନ୍’ର ଅଡିଓ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗଦେଇ ବିଜୟ ଏହି ବଡ଼ ଘୋଷଣା କରିଛନ୍ତି।
୫୧ ବର୍ଷୀୟ ବିଜୟ ସ୍ପଷ୍ଟ କରିଛନ୍ତି ଯେ ‘ଜନ ନାୟଗନ୍’ ତାଙ୍କ ଅଭିନୟ ଜୀବନର ଅନ୍ତିମ ଫିଲ୍ମ ହେବ।ଅଭିନୟ ପରେ ରାଜନୀତିରେ ପାଦ ଥାପିଥିବା ବିଜୟ ଏବେ କେବଳ ରାଜନୀତି ଉପରେ ଗୁରୁତ୍ୱ ଦେଇ ସକ୍ରିୟ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜନୀତି ପାଇଁ ନିଜ ସଫଳ ଅଭିନୟ କ୍ୟାରିୟରରୁ ବିଦାୟ ନେବାକୁ ସେ ପ୍ରସ୍ତୁତ ବୋଲି କହିଛନ୍ତି।
କାର୍ଯ୍ୟକ୍ରମରେ ବିଜୟ କହିଥିଲେ, “ଲୋକେ ମୋ ପାଇଁ ଥିଏଟରରେ ଲମ୍ବା ଲାଇନରେ ଛିଡ଼ା ହୁଅନ୍ତି। ସେମାନଙ୍କ ପାଇଁ ମୁଁ ଆଗାମୀ ୩୦-୩୩ ବର୍ଷ ଯାଏ ଛିଡ଼ା ହେବାକୁ ପ୍ରସ୍ତୁତ। ଦର୍ଶକଙ୍କ ମନୋରଞ୍ଜନ କରିସାରି ଏବେ ସେମାନଙ୍କ ସେବାରେ ନିଜ ଜୀବନ ବିତାଇବାକୁ ଚାହୁଁଛି।”ଏହା ସହ ଦୀର୍ଘ ବର୍ଷ ଧରି ମିଳିଥିବା ଅସୀମ ଭଲପାଇବା ଓ ସମର୍ଥନ ପାଇଁ ବିଜୟ ନିଜ ପ୍ରଶଂସକମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି।

