ନ୍ୟୁଜ ଡେକ୍ସ: ପୁରୀ ଜିଲ୍ଲା ପିପିଲି ବ୍ଲକର ହାଟସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଡ଼ଗୁଣା ଗ୍ରାମରୁ ଏକ ଅଭିଲେଖ ଜଡ଼ିତ ବୀରଶିଳା (ହିରୋଷ୍ଟୋନ) ଚିହ୍ନଟ ହୋଇଛି। କଟକ ରେ ଥିବା ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ମହିତୋଷ ଗୋପାଲ ଅଭିଲେଖ ର ପାଠ ଉଦ୍ଧାର କରିଛନ୍ତି। ସେ ମଧ୍ୟ ଉତ୍କଳ ବିଶ୍ଵବିଦ୍ୟାଳୟର ଇତିହାସ ବିଭାଗରେ ଥିବା ମୁଖ୍ୟ ପ୍ରଫେସର ଜୟନ୍ତୀ ଦୋରାଙ୍କ ତତ୍ତ୍ଵାବଧାନରେ ” ହିରୋଷ୍ଟୋନସ୍ ଇନ୍ ଓଡ଼ିଶା: ଏ କଂପ୍ରେହେନ୍ସିଭ ଷ୍ଟଡି ” ବିଷୟବସ୍ତୁ ଉପରେ ଗବେଷଣାରତ।
ଅଧ୍ୟାପକଙ୍କ କହିବା ଅନୁସାରେ ପ୍ରାଚୀନ ଐତିହାସିକ କୀର୍ତ୍ତିରାଜିର ଏକ ସ୍ମରଣୀୟ ପ୍ରତୀକ ହେଉଛି ବୀର ଶିଳା। ଏହା ଯୁଦ୍ଧରେ କିମ୍ବା କୌଣସି ବୀରତ୍ୱପୂର୍ଣ୍ଣ କାର୍ଯ୍ୟରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ସ୍ମୃତିରେ ନିର୍ମାଣ କରାଯାଏ। ଯାହା ବୀରଙ୍କ ସମ୍ମାନ ଓ ସ୍ମୃତି ରକ୍ଷା ନିମନ୍ତେ ଐତିହାସିକ, ସାମରିକ ଓ ସାଂସ୍କୃତିକ ଘଟଣାର ସାକ୍ଷୀ ଭାବେ କାର୍ଯ୍ୟ କରେ। ବୀରଶିଳା ସାଧାରଣତଃ କୌଣସି ଅସ୍ତ୍ରଶସ୍ତ୍ରଧାରୀ ବୀରଙ୍କୁ ଯୁଦ୍ଧ କରୁଥିବା ଭଙ୍ଗୀ ନଚେତ୍ ନିଜ ଆରାଧ୍ୟ ଦେବତାଙ୍କୁ ପୂଜା କରୁଥିବା ଦୃଶ୍ୟରେ ଦେଖିବାକୁ ମିଳିଥାଏ। ବୀରଶିଳା ଗୁଡ଼ିକୁ ତାଙ୍କର ଭାସ୍କର୍ଯ୍ୟ ଓ ଅଭିଲେଖ ଆଧାରରେ ତିନୋଟି ମୁଖ୍ୟ ଶ୍ରେଣୀରେ ବିଭକ୍ତ କରାଯାଇପାରେ ୧)ଅଭିଲେଖ ସହିତ ବୀର ଖୋଦିତ ମୂର୍ତ୍ତି ୨)ଅଭିଲେଖ ବିନା ବୀର ଖୋଦିତ ମୂର୍ତ୍ତି ୩) ବୀର ମୂର୍ତ୍ତି ବିନା କେବଳ ଅଭିଲେଖ (ଯାହା ବିରଳ)। ଏହି ପୋଡ଼ଗୁଣା ଗ୍ରାମରୁ ମିଳିଥିବା ବୀରଶିଳା ହେଉଛି ଏକ ଅଭିଲେଖ ସହିତ ବୀର ଖୋଦିତ ମୂର୍ତ୍ତି।
ଏହା ପୂର୍ବରୁ ଦଶ ଟି ଅଭିଲେଖଯୁକ୍ତ ବୀରଶିଳା ଓଡ଼ିଶାରେ ଯାଜପୁର, କଳାହାଣ୍ଡି, କଟକ, ପୁରୀ ଆଦି ଜିଲ୍ଲାରେ ମିଳିଛି। ଏହି ବୀରଶିଳାଟି ବାଲିପଥର ରେ ନିର୍ମିତ ଓ ଅଭିଲେଖ ସଂସ୍କୃତ ଭାଷା ଭଳି ମନେ ହେଉଛି। ଏହାର କୋଡ଼ିଏ ମିଟର ଦୂରରେ ଆଉ ଏକ ଅବହେଳିତ ମାଟିରେ ପୋତି ହୋଇଯାଇଥିବା ବୀରଶିଳାକୁ ଚିହ୍ନଟ କରିଛନ୍ତି ଅଧ୍ୟାପକ ଓ ଗବେଷକ ଶ୍ରୀ ମହିତୋଷ ଗୋପାଲ। ଅଧ୍ୟାପକ ଙ୍କ କହିବା ଅନୁସାରେ ଅଭିଲେଖ ବିହୀନ ବୀରଶିଳା ଓଡ଼ିଶାର ଅନେକ ଜିଲ୍ଲାରେ ଦେଖିବାକୁ ମିଳିଛି, ତନ୍ମଧ୍ୟରୁ କିଛି ମନ୍ଦିର ପ୍ରାଙ୍ଗଣରେ, କିଛି ଗ୍ରାମଦେବତୀ ହିସାବରେ, କିଛି ସଂଗ୍ରହାଳୟରେ ଓ ଅନେକ ଅବହେଳିତ ଭାବରେ ପଡ଼ିରହିଛନ୍ତି। ଦକ୍ଷିଣ ଭାରତରେ ଯଦିଓ ସବୁଠାରୁ ବେଶୀ ହିରୋଷ୍ଟୋନ ମିଳିଛି, ଓଡ଼ିଶାରେ ଐତିହ୍ୟ ଓ କୀର୍ତ୍ତିରାଜକୁ ବହନ କରୁଥିବା ବୀରଶିଳା ମଧ୍ୟ ବହୁତ ପଡ଼ିରହିଛି। ଏହି ସବୁ ପ୍ରକାରର ବୀରଶିଳା ଲିପିବଦ୍ଧ କରିବା ସହ ସଂରକ୍ଷଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ।
