Fri. Oct 24th, 2025

ନ୍ୟୁଜ ଡେକ୍ସ : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକ୍‌ମେଲିଂ ମାମଲା ଦିନକୁ ଦିନ ଅଡୁଆ ହେଉଛି। ଏହି ମାମଲାରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ଦୀର୍ଘ ୫ ଘଣ୍ଟା ଧରି ଜେରା କରାଯାଇଛି। ସକାଳ ୧୧ଟା ୩୦ ମିନିଟ୍‌ରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଜେରା ଚାଲିଥିଲା ବୋଲି ସୂତ୍ର ଜଣାଇଛି।ଇଡି ଅଧିକାରୀମାନେ ଜଗବନ୍ଧୁଙ୍କୁ ଅର୍ଚ୍ଚନା ସହ ତାଙ୍କ ଆର୍ଥିକ କାରବାର ଓ ବେଆଇନ ଟଙ୍କା ଲେନଦେନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରିଥିଲେ।

ସୂତ୍ର ଅନୁସାରେ, ନେତା, ମନ୍ତ୍ରୀ, ବ୍ୟବସାୟୀ ଓ ଅଧିକାରୀମାନଙ୍କୁ ବ୍ଲାକ୍‌ମେଲ୍‌ କରି ଅର୍ଚ୍ଚନା ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁ କୋଟି କୋଟି ଟଙ୍କା ରୋଜଗାର କରିଥିଲେ। ସେହି ଅର୍ଜିତ ଟଙ୍କାରେ ଭୁବନେଶ୍ୱର ସତ୍ୟବିହାର ଅଞ୍ଚଳରେ (ପ୍ଲଟ୍‌ ନଂ ୧୩୩୮/୧୫୧୦୫) ତିନି ମହଲା ଆଲିଶାନ ଘର ତିଆରି କରାଯାଇଥିଲା। ଏହାର ଇଣ୍ଟିରିୟରରେ ବି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାଯାଇଛି। ତାସହ ଜଗବନ୍ଧୁ ଓ ଅର୍ଚ୍ଚନା, ତାଙ୍କ ଖାସ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ସହ ମିଶି ବେଆଇନ ଟଙ୍କାରେ କାର ବ୍ୟବସାୟ ଆରମ୍ଭ କରିଥିବା ଅଭିଯୋଗ ରହିଛି।

ବେଆଇନ ଆୟର ପ୍ରମାଣ ମିଳିବା ପରେ, ପୂର୍ବମାସରେ ଇଡି ଅର୍ଚ୍ଚନାଙ୍କ ଘରକୁ ସିଲ୍‌ କରିଦେଇଥିଲା। ସେତେବେଳେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଦୁହେଁ ଘରେ ଥିଲେ ନାହିଁ — କାରଣ ଜଗବନ୍ଧୁ ସେତେବେଳେ ଜେଲ୍‌ରେ ଥିଲେ।କିଛି ଦିନ ତଳେ ସେ ଜାମିନ୍‌ରେ ଆସିଥିଲେ । ଆର୍ଥିକ କାରବାରର ଖୋଳତାଡ ପାଇଁ ତାଙ୍କୁ ଇଡି ନୋଟିସ୍‌ କରିଥିଲା । ସେ ଶୁକ୍ରବାର ସାଢ଼େ ୧୧ଟା ବେଳେ ଇଡିରେ ହାଜର ହୋଇଥିଲେ । ଦୀର୍ଘ ୫ ଘଣ୍ଟା ଧରି ତାଙ୍କୁ ଜେରା କରିଥିଲା ଇଡି । ହେଲେ ସେ କୌଣସି ସନ୍ତୋଷଜନକ ତଥ୍ୟ ଦେଇ ପାରିନଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *