Mon. Dec 23rd, 2024

ନ୍ୟୁଜ ଡେକ୍ସ: ପୁଷ୍ପା-୨ର ସ୍କ୍ରିନିଂ ବେଳେ ହାଇଦ୍ରାବାଦର ଏକ ସିନେମା ହଲ୍‌ରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ମାମଲାରେ ଜେଲ୍ ଗଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ନାମପଲ୍ଲୀ କୋର୍ଟ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଅଲ୍ଲୁଙ୍କୁ ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲ୍‌କୁ ପଠାଇ ଦିଆଯାଇଛି।

ଜେଲ୍‌ରେ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଦଳଚକଟା ମାମଲାରେ ଅଲ୍ଲୁ ଅର୍ଜୁନ, ତାଙ୍କର ସୁରକ୍ଷା କର୍ମୀ ଏବଂ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୫ ଏବଂ ୧୧୮ (୧) ଅଧୀନରେ ମାମଲା ରୁଜୁ କରିଛି ହାଇଦ୍ରାବାଦ ପୋଲିସ । ଅଭିନେତାଙ୍କ ପୂର୍ବରୁ ଥିଏଟରର ମାଲିକ ଏବଂ ଦୁଇ କର୍ମଚାରୀ ଗିରଫ ହୋଇସାରିଛନ୍ତି ।ସୂଚନାଯୋଗ୍ୟ, ଡିସେମ୍ବର ୪ରେ ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ ଚଳଚ୍ଚିତ୍ରର ପ୍ରିମିୟର ଥିଲା । ଏହା ଦେଖିବାକୁ ଲୋକଙ୍କର ପ୍ରବଳ ଗହଳି ଲାଗିଥିଲା । କିନ୍ତୁ ହଠାତ ଅଲ୍ଲୁ ଅର୍ଜୁନ ଥିଏଟରରେ ପ୍ରବେଶ କରିବାରୁ ଭିଡ଼ ଅନିୟନ୍ତ୍ରିତ ହୋଇପଡ଼ିଥିଲା । ଏହି ସମୟରେ ଜଣେ ୩୯ ବର୍ଷୀୟା ମହିଳା ରେବତୀ ଏବଂ ତାଙ୍କର ପୁଅ ଅଣନିଶ୍ବାସୀ ହୋଇପଡ଼ିଥିଲେ । ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ରେବତୀ ମୃତ୍ୟୁବରଣ କରିଥିଲେ । ତାଙ୍କ ପୁଅ ଏବେ ଚିକିତ୍ସାଧୀନ ଅଛନ୍ତି ।

ପୋଲିସର କହିବା ଅନୁଯାୟୀ, ଥିଏଟରରେ ଯିବା ଆସିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହୋଇନଥିଲା । ଏପରିକି ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ ପ୍ରିମିୟରରେ ଯୋଗ ଦେବେ ବୋଲି ଆଗୁଆ ସୂଚନା ଦିଆଯାଇ ନଥିଲା । ମୃତ ମହିଳାଙ୍କ ସ୍ବାମୀ ମାଗୁଡମପାଲ୍ଲି ଭାଷ୍କରଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଥିଲା । ଏହି ଘଟଣାକୁ ନେଇ ମୃତ ମହିଳାଙ୍କ ପରିବାର ଲୋକେ ଡିସେମ୍ବର ୫ ତାରିଖରେ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା କର୍ମଚାରୀ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରି ଆଜି ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *