ନ୍ୟୁଜ ଡେକ୍ସ : ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ଅନ୍ତର୍ଗତ ଖନ୍ତାପଡ଼ା ଥାନା ଅଧୀନ ଶ୍ରୀଜଙ୍ଗ ହାଇସ୍କୁଲରେ ଆଜି ଏକ ଚମକାଦେଇଥିବା ଘଟଣା ସାରା ଅଞ୍ଚଳକୁ ହଲଚଲ କରାଇଦେଇଛି। ହାଇସ୍କୁଲର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କ ବ୍ୟାଗରୁ ଏକ ଅସଲି ବନ୍ଧୁକ ମିଳିବା ପରେ ସ୍କୁଲ ପରିସରରେ ଭୟ ଓ ଉତ୍ତେଜନା ସୃଷ୍ଟି ହୋଇଥିଲା। ଛାତ୍ରଛାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିବା ବେଳେ, ଶହଶହ ଅଭିଭାବକ ସ୍କୁଲକୁ ଧାଉଁଥିଲେ ଓ ହୋହଲ୍ଲା କରିଥିଲେ।
ସୂଚନା ଅନୁସାରେ, ଉକ୍ତ ଛାତ୍ର ନିଜ ବ୍ୟାଗରେ ବନ୍ଧୁକ ରଖିଥିବା କଥା ସହପାଠୀମାନେ ଜାଣିବା ପରେ ଶ୍ରେଣୀ ଶିକ୍ଷକଙ୍କୁ ଅବଗତ କରିଥିଲେ। ପରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ସଂଗୀତା ଜେନା ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ବ୍ୟାଗ ଯାଞ୍ଚ କରିଥିଲେ। ବ୍ୟାଗରୁ ଅସଲି ବନ୍ଧୁକ ମିଳିବା ସହିତ ସେ ଓ ସମଗ୍ର ସ୍କୁଲ ପ୍ରଶାସନ ଆତଙ୍କିତ ହୋଇପଡ଼ିଥିଲେ।ଖବର ଚାରିଦିଗକୁ ପ୍ରସାରିତ ହେବା ସହ ଅଭିଭାବକମାନେ ନିଜ ପିଲାଙ୍କ ସୁରକ୍ଷା ନେଇ ଚିନ୍ତିତ ହୋଇ ସ୍କୁଲ ସାମ୍ନାରେ ଭିଡ଼ ଜମାଇଥିଲେ। କିଛି ଅଭିଭାବକ ଉକ୍ତ ଛାତ୍ରଙ୍କୁ ତୁରନ୍ତ ଟିସି (ଟ୍ରାନ୍ସଫର ସର୍ଟିଫିକେଟ) ଦେଇ ସ୍କୁଲରୁ ବିଦା କରାଯାଉ ବୋଲି ଦାବି କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଖନ୍ତାପଡ଼ା ଥାନାର ଏଏସ୍ଆଇ ଉଦୟ ନାରାୟଣ ଭକ୍ତା ସ୍କୁଲକୁ ପହଞ୍ଚି ବନ୍ଧୁକଟିକୁ ଜବତ କରିଥିଲେ।
ତାପରେ ଉକ୍ତ ଛାତ୍ରଙ୍କୁ ସୁରକ୍ଷାରେ ନେଇ ସ୍କୁଲ ପରିସରରୁ ବାହାରକୁ ନେଉଥିବା ବେଳେ ଅଭିଭାବକମାନେ ତାଙ୍କୁ ଘେରି ଯାଇଥିଲେ। ଏଏସ୍ଆଇ ସାଧା ପୋଷାକରେ ଥିବାରୁ ଲୋକମାନେ ଭ୍ରମିତ ହୋଇ ସେ ଛାତ୍ରଙ୍କୁ ସହଯୋଗ କରୁଛନ୍ତି ବୋଲି ସନ୍ଦେହ କରିଥିଲେ, ଯାହାର ଫଳରେ ପରିସ୍ଥିତି ଆଉ ଅଧିକ ଉତ୍ତେଜିତ ହୋଇଯାଇଥିଲା।ପରେ ଏସ୍ଆଇ ଓ ଅନ୍ୟ ପୋଲିସ କର୍ମଚାରୀ ପହଞ୍ଚି ଅଭିଭାବକମାନଙ୍କୁ ବୁଝାସୁଝା କରିଥିଲେ। ପ୍ରାୟ ୨ ଘଣ୍ଟା ଧରି ଚାଲିଥିବା ହୋହଲ୍ଲା ଓ ତଣାଉ ପରେ ପୋଲିସ ଉକ୍ତ ଛାତ୍ରକୁ ସୁରକ୍ଷିତ ଭାବେ ଭିଡ଼ ଭିତରୁ ଉଦ୍ଧାର କରିଥିଲା।
ବନ୍ଧୁକଟି କେଉଁଠୁ ଆସିଲା, ଛାତ୍ର ଜଣେ ଏହାକୁ କେମିତି ପାଇଲେ ଓ କାହିଁକି ସ୍କୁଲକୁ ଆଣିଥିଲେ ଏସବୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ସ୍କୁଲ ପରିସରର ସୁରକ୍ଷା ନେଇ ଗମ୍ଭୀର ପ୍ରଶ୍ନ ଉଠିଥିବା ବେଳେ, ଅଭିଭାବକମାନେ ଭବିଷ୍ୟତରେ ଏପରି ଘଟଣା ରୋକିବାକୁ କଡା ପଦକ୍ଷେପ ନେବାକୁ ଦାବି କରିଛନ୍ତି।

