ନ୍ୟୁଜ ଡେକ୍ସ : ଅଷ୍ଟ୍ରେଲିଆରେ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ଲଗାଗଲା କଡା ପ୍ରତିବନ୍ଧ। ଆଜିଠୁ ଦେଶରେ ଏହି ନୂଆ ଆଇନ୍ ଲାଗୁ ହୋଇଛି। ନୂଆ ନିୟମ ଅନୁଯାୟୀ, ୧୬ ବର୍ଷରୁ କମ୍ ବୟସର କୌଣସି ପିଲା ଫେସବୁକ୍, ଇନ୍ଷ୍ଟାଗ୍ରାମ୍, ୟୁଟ୍ୟୁବ୍, ଟିକଟକ୍ ସହିତ ଅନ୍ୟାନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆକାଉଣ୍ଟ ରଖିପାରିବେ ନାହିଁ। ଯଦି ଏମିତି କୌଣସି ଆକାଉଣ୍ଟ ରହିଥାଏ, ତାହାକୁ ତୁରନ୍ତ ହଟାଇବାକୁ ପଡ଼ିବ।
ନୂଆ ଆଇନ୍ ଉଲ୍ଲଂଘନ ହେଲେ ସମ୍ପୃକ୍ତ କମ୍ପାନୀଙ୍କ ଉପରେ ୩୩ ମିଲିୟନ୍ ଡଲାର ପର୍ଯ୍ୟନ୍ତ ଜରିମାନା ଲଗାଯିବାର ବ୍ୟବସ୍ଥା ରହିଛି। ଏହି ନିୟମ ଆଣିବାରେ ଅଷ୍ଟ୍ରେଲିଆ ବିଶ୍ୱରେ ପ୍ରଥମ ଦେଶ ହୋଇଛି, ଯେଉଁଠାରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲଗାଯାଇଛି।ଏହି ଐତିହାସିକ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ‘ପ୍ରାଇଡ୍ ଡେ’ ବୋଲି ବର୍ଣ୍ଣନା କରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆ ଉପରେ ଏହି ପ୍ରତିବନ୍ଧ ପିଲାମାନଙ୍କୁ ସୁସ୍ଥ ଓ ନିରାପଦ ଶୈଶବ ଦେବାରେ ସାହାଯ୍ୟ କରିବ। ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏହା ଏକ ବଡ଼ ପଦକ୍ଷେପ ବୋଲି ସେ ମତ ପ୍ରକାଶ କରିଛନ୍ତି।
ମଙ୍ଗଳବାର ବିଳମ୍ବିତ ରାତିରୁ ଟିକଟକ୍, ୟୁଟ୍ୟୁବ୍, ଇନ୍ଷ୍ଟାଗ୍ରାମ୍, ଫେସବୁକ୍ ସମେତ ୧୦ଟି ବୃହତ୍ତମ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉପରେ ୧୬ ବର୍ଷରୁ କମ୍ ପିଲାମାନଙ୍କ ପାଇଁ କଟକଣା ଲାଗିଛି। କମ୍ପାନୀଗୁଡ଼ିକୁ ସଫା ସଫା ନିର୍ଦ୍ଦେଶ ଦିଆଯାଇଛି ଯେ ନିୟମ ଭଙ୍ଗ କଲେ ଭାରି ଅର୍ଥଦଣ୍ଡ ଗୁଜରିବାକୁ ପଡ଼ିବ।ଯଦିଓ ଏହି ଆଇନକୁ କିଛି ପ୍ରମୁଖ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଓ ବାକ୍ ସ୍ୱାଧୀନତା ପ୍ରବକ୍ତାମାନେ ସମାଲୋଚନା କରିଛନ୍ତି, କିନ୍ତୁ ଅଧିକାଂଶ ପିତାମାତା ଓ ଶିଶୁ ଅଧିକାର ସଂଗଠନ ଏହାକୁ ସ୍ୱାଗତ କରିଛନ୍ତି। ଅନଲାଇନ ଜଗତରେ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଅନ୍ୟାନ୍ୟ ଦେଶମାନେ ମଧ୍ୟ ଏପରି ସମାନ କଡା ପଦକ୍ଷେପ ନେବାକୁ ଗମ୍ଭୀର ଭାବେ ବିଚାର କରୁଥିବା ଜଣାପଡ଼ିଛି।

