ନ୍ୟୁଜ ଡେକ୍ସ : ଘରୋଇ ଅଷ୍ଟ୍ରେଲିଆ ଓ ଭାରତୀୟ ମହିଳା ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୬ ୱିକେଟ୍ରେ ସହଜ ବିଜୟ ହାସଲ କରି ସିରିଜରେ ୧-୦ ଅଗ୍ରଣୀ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୮.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୪ ରନ୍ ସଂଗ୍ରହ କରିଥିଲା। ଜବାବରେ ଘରୋଇ ଦଳ ୩୮.୨ ଓଭରରେ ୪ ୱିକେଟ୍ ବିନିମୟରେ ଲକ୍ଷ୍ୟ ପୂରଣ କରିନେଇଥିଲା।
ଭାରତ ପକ୍ଷରୁ ପ୍ରତୀକା ରାୱଲ ଖାତା ଖୋଲିପାରିନଥିବାବେଳେ ଶେଫାଳି ବର୍ମା ୪ ଓ ଜେମିମା ରୋଡ୍ରିଗ୍ସ ୮ ରନ୍ କରି ଆଉଟ୍ ହୋଇଥିଲେ। ୫୨ ରନ୍ରେ ଦଳ ୩ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ପରେ ସ୍ମୃତି ମନ୍ଧନା ଓ ଅଧିନାୟିକା ହର୍ମନପ୍ରୀତ କୌର ଇନିଂସ୍କୁ ସ୍ଥିର କରିଥିଲେ। ମନ୍ଧନା ୫୮ ରନ୍ (୭ ଚୌକା) କରି ଆଉଟ୍ ହୋଇଥିଲେ। ହର୍ମନପ୍ରୀତ ୫୩ ରନ୍, ରିଚା ଘୋଷ ୨୩ ଓ କାଶଭୀ ଗୌତମ ୪୩ ରନ୍ (୩ ଚୌକା, ୩ ଛକା) ଯୋଗ କରି ଦଳକୁ ୨୧୪ ରନ୍ ପର୍ଯ୍ୟନ୍ତ ନେଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆସଲି ଗାର୍ଡନର ୩ଟି ଓ ମେଗାନ ସ୍କଟ୍ ୨ଟି ୱିକେଟ୍ ନେଇଥିଲେ।
ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟିକା ହର୍ମନପ୍ରୀତ କୌର ବ୍ୟାଟିଂ ସମୟରେ ବାମ ଆଣ୍ଠୁରେ ଆହତ ହୋଇଥିଲେ। ୩୮ତମ ଓଭରରେ ଫିଜିଓ ପଡ଼ିଆକୁ ପହଞ୍ଚି ଚିକିତ୍ସା କରିଥିଲେ। ପରେ ସେ ବ୍ୟାଟିଂ ଜାରି ରଖି ୫୩ ରନ୍ କରିଥିଲେ, କିନ୍ତୁ ଫିଲ୍ଡିଂ ପାଇଁ ମାଟିକୁ ଆସିନଥିଲେ। ତାଙ୍କ ସ୍ଥାନରେ ସ୍ମୃତି ମନ୍ଧନା ନେତୃତ୍ୱ ଭାର ନେଇଥିଲେ।

