Thu. Oct 23rd, 2025

ନ୍ୟୁଜ ଡେକ୍ସ : ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି । ଭାରତୀୟ ପାଣିପାଗ ବିଭାଗ ଡିଜି ଭାବେ ପୁଣି ଥରେ ନିଯୁକ୍ତି ପାଇଛନ୍ତି ଡ. ମୃତ୍ୟୁଞ୍ଜୟ ମହାପାତ୍ର । ସାଇକ୍ଲୋନମ୍ୟାନ୍ ଭାବେ ପରିଚିତ ତଥା ଓଡ଼ିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରୁଥିଲେ ।

ଅବସର ବୟସ (୩୧ ଅଗଷ୍ଟ ୨୦୨୫ ପରେ) ଠାରୁ ୨ ବର୍ଷ ପାଇଁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ, ଯାହା ପୂର୍ବରୁ ହେବ, ଚୁକ୍ତିଭିତ୍ତିକ ଭାବରେ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ପୁନଃନିଯୁକ୍ତି ପ୍ରଦାନ କରାଯିବ । ଆସନ୍ତା ଦୁଇ ବର୍ଷ ପାଇଁ ସେ କାର୍ଯ୍ୟ କରିବେ ।ତେବେ ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱରରେ ଜନ୍ମିତ ମୃତ୍ୟୁଞ୍ଜୟ ମହାପାତ୍ର ଆଇଆଇଟି ଦିଲ୍ଲୀର ଛାତ୍ର । ଭାରତୀୟ ପାଣିପାଗ ବିଭାଗରେ ମୃତ୍ୟୁଞ୍ଜୟ ମହାପାତ୍ରଙ୍କର ରହିଛି ବେଶ୍ ଉଲ୍ଲେଖନୀୟ ଅବଦାନ । ପ୍ରଥମ ଓଡ଼ିଆ ଭାବେ ମୃତ୍ୟୁଞ୍ଜୟ ମହାପାତ୍ର ୨୦୧୯ରେ ଆଇଏମଡି ମହାନିର୍ଦ୍ଦେଶକ ପଦରେ ନିଯୁକ୍ତି ପାଇଥିଲେ ।

ଏହି ପଦ ଗ୍ରହଣ କରିବା ପୂର୍ବରୁ ସେ ଭାରତୀୟ ପାଣିପାଗ ବିଭାଗର ଏଡିଜି ସହ ସାଇକ୍ଲୋନ୍ ଓ୍ୱାର୍ଣ୍ଣିଂ ବିଭାଗର ମୁଖ୍ୟ ଥିଲେ। ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର ଫାଇଲିନ୍, ହୁଡହୁଡ୍, ତିତଲି ଓ ଫନି ଭଳି ବାତ୍ୟାର ଲ୍ୟାଣ୍ଡଫଲ ଓ ବେଗ ସମ୍ପର୍କରେ ସଠିକ୍ ଆକଳନ କରି ଚର୍ଚ୍ଚାରେ ଥିଲେ ।୧୯୯୯ ମସିହାର ମହାବାତ୍ୟା ସମୟରେ ସେ ଭୁବନେଶ୍ୱର ସ୍ଥିତ ଆଇଏମଡି କାର୍ଯ୍ୟାଳୟର ସାଇକ୍ଲୋନ ୱାର୍ଣ୍ଣିଂ ଡିଭିଜନରେ କାର୍ଯ୍ୟ କରୁଥିଲେ ।

Leave a Reply

Your email address will not be published. Required fields are marked *