ନ୍ୟୁଜ ଡେକ୍ସ: ଆଜି ଏସ୍ପି ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ୨୦ଟି ଜିଲ୍ଲାର ଏସ୍ପିଙ୍କ ବଦଳି ହୋଇଛି। ବ୍ରହ୍ମପୁର ଓ ରାଉରକେଲାକୁ ମଧ୍ୟ ମିଳିଛନ୍ତି ନୂଆ ଏସ୍ପି। ପୂର୍ବରୁ ପୁଲିସ୍ ବିଭାଗରେ ଗୁରୁତ୍ବପୂର୍ଣ୍ଣ ପଦବିରେ ବସିଥିବା ପ୍ରଭାବଶାଳୀ ଆଇପିଏସ୍ ଅଧିକାରୀମାନଙ୍କୁ ହଟାଇ ଦିଆଯାଇଛି। ଦ୍ବୈତନଗରୀ ପୁଲିସ କମିସନର ପଦବିରୁ ସଞ୍ଜୀବ ପଣ୍ଡାଙ୍କୁ ବଦଳି କରାଯାଇ ବିଜୁ ପଟ୍ଟନାୟକ ପୁଲିସ ଟ୍ରେନିଂ ଏକାଡେମୀ(ବିପିଏସ୍ପିଏ)ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।
ତାଙ୍କ ସ୍ଥାନରେ ପୁଲିସ କମିସନର ଭାବେ ସୁରେଶ ଦେବଦତ୍ତ ସିଂଙ୍କୁ ନିଯୁକ୍ତି ମିଳିଛି। ପୂର୍ବରୁ ସେ ଏଡିଜି-ଅପରେସନ୍ ଥିଲେ। ଆଉ ଏହି କ୍ରମରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଇ ଦିଆଯାଇଛି। କଟକ ଡିସିପିଙ୍କର ମଧ୍ୟ ବଦଳି ହୋଇଛି। ୱାଇ. ବି ଖୁରାନିଆ ନୂଆ ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବାର ପ୍ରାୟ ଦେଢ଼ ମାସ ପରେ ଏସ୍ପି ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଢେଙ୍କାନାଳ ଏସ୍ପି ଥିବା ୨୦୧୨ ବ୍ୟାଚ୍ର ଆଇପିଏସ୍ ଅଫିସର ମଡକର ସନ୍ଦୀପ ସମ୍ପଦଙ୍କୁ ଭଦ୍ରକ ଏସ୍ପି ଭାବେ ବଦଳି କରାଯାଇଛି। ଭଦ୍ରକ ଏସ୍ପି ବରୁଣ ଗୁଣ୍ଟୁପଲ୍ଲୀଙ୍କୁ ମୟୂରଭଞ୍ଜ ଏସ୍ପି ଭାବେ ବଦଳି କରାଯାଇଥିବା ବେଳେ ବାଲେଶ୍ୱର ଏସ୍ପି ସାଗରିକା ନାଥଙ୍କୁ ଖୋର୍ଦ୍ଧା ଜିଲ୍ଲା ଏସ୍ପି ଭାବେ ବଦଳି କରାଯାଇଛି। ବୋଥ୍ରାଙ୍କ ସ୍ଥାନରେ ସିଆଇଡି ସିବି ଭାବେ ବିନୟତୋଷ ମିଶ୍ର ଅବସ୍ଥାପିତ ହୋଇଛନ୍ତି।
ଅନ୍ୟପକ୍ଷରେ ଜେଲ୍ ନିର୍ଦ୍ଦେଶକ ଭାବେ ଅରୁଣ କୁମାର ରାୟଙ୍କୁ ନିଯୁକ୍ତି ଦିଆଯାଇଛି। ଆଇପିଏସ୍ ଏସ୍ଏମ୍ ନର୍ଭଣେଙ୍କୁ ଓଏସ୍ଡି ଗୃହ ବିଭାଗରୁ ବଦଳି କରାଯାଇ ନିର୍ଦ୍ଦେଶକ ପ୍ରିଣ୍ଟିଂ ଭାବେ ଅବସ୍ଥାପିତ କରାଯାଇଛି। ରବିବାର ସନ୍ଧ୍ୟାରେ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ରାଜ୍ୟର କିଛି ଜିଲ୍ଲାରେ ନୂଆ ଏସ୍ପିମାନଙ୍କୁ ଦାୟିତ୍ବ ଦିଆଯାଇଛି। ସେହିଭଳି କ୍ରାଇମ୍ବ୍ରାଞ୍ଚ୍, ଗୁଇନ୍ଦା ବିଭାଗ, ଭିଜିଲାନ୍ସ, ଅପରେସନ୍ ଆଦି ଉପବିଭାଗରେ ବଡ଼ଧରଣର ଅଦଳବଦଳ କରାଯାଇଛି।