ନ୍ୟୁଜ ଡେକ୍ସ: ପୁଣି ମୋ ବସ୍ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନାର ଶିକାର ହେଲେ ମହିଳାଙ୍କ। ବସ୍ ଚକା ତଳେ ଚାଲିଗଲା ଜଣେ ମହାଳାଙ୍କ ଜୀବନ। ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ଓଭରବ୍ରିଜ୍ ତଳେ ଏହି ଦୁର୍ଘଟଣା ଘଟିଛି। ଜଣେ ମହିଳାଙ୍କ ଜୀବନ ନେବାସହ ଏକାଧିକ ଲୋକଙ୍କୁ ଧକ୍କା ଦେଇଥିଲା ମୋ ବସ୍।
କେବଳ ସେତିକି ନୁହେଁ, ୧୦୦ ମିଟର ପର୍ଯ୍ୟନ୍ତ ମହିଳାଙ୍କୁ ଘୋଷାଡ଼ି ମଧ୍ୟ ନେଇଥିଲା। ଏହି ଦୁର୍ଘଟଣା ପରେ ପୋଲିସ ପହଞ୍ଚିବାରେ ବିଳମ୍ବ ହେବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ଡ୍ରାଇଭରଙ୍କୁ ମାଡ଼ ମାରିବା ପରେ ପୋଲିସ ହେପାଜତକୁ ଦେଇଛନ୍ତି । ସୂଚନା ଅନୁସାରେ, ୩୩ଏସ୍ ମୋ’ ବସ୍(ନଂ OD 02 BJ 9410) ଭୁବନେଶ୍ୱର ଟାଉନରୁ କଳିଙ୍ଗ ନଗର ଡିପୋ ଆଡକୁ ଯାଉଥିଲା ।
ସେହି ସମୟରେ ଏନଏଚ୍ ତଳକୁ ଖସୁଥିବା ମୋ ବସ୍ ପ୍ରଥମେ ଗୋଟିଏ ସ୍କୁଟିକୁ ଧକ୍କା ଦେବା ପରେ ପୁଣି ଅନ୍ୟ ଏକ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ତମାଣ୍ଡୋ ଥାନା ଡିଏନରେଙ୍ଗାଲିଆ ଓଭରବ୍ରିଜ ତଳେ ଜଣେ ମହିଳାଙ୍କୁ ଧକ୍କା ଦେଇ ୧୦୦ ମିଟର ଘୋଷାଡ଼ି ନେଇଥିଲା ମୋ ବସ୍ । ଏଥିରେ ଘଟଣା ସ୍ଥଳରେ ହିଁ ମହିଳାଙ୍କ ପ୍ରାଣ ଚାଲି ଯାଇଥିଲା ।ଗୁରୁତରମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ବସଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
