Sun. Feb 22nd, 2026

ନ୍ୟୁଜ ଡେକ୍ସ : ରାଜ୍ୟବାସୀଙ୍କ ପାଇଁ ଥଣ୍ଡାରୁ ଏପର୍ଯ୍ୟନ୍ତ କୌଣସି ଆରାମ ନାହିଁ। ଆସନ୍ତା ଦୁଇ ସପ୍ତାହ, ଅର୍ଥାତ୍ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଶୀତ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସ୍ୱାଭାବିକ ତାପମାତ୍ରାଠାରୁ ସର୍ବନିମ୍ନ ତାପମାତ୍ରା ପ୍ରାୟ ୬ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିପାରେ। କାଲୁଆ ପାଗର ପ୍ରଭାବରେ ସାରା ରାଜ୍ୟରେ ଜାଡ଼ ଆହୁରି ବଢ଼ିବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୀତଲହରୀ ସ୍ଥିତି ରହିବ। ବିଶେଷକରି ୯ ଓ ୧୦ ତାରିଖରେ ଥଣ୍ଡାର ପ୍ରଭାବ ସବୁଠାରୁ ଅଧିକ ରହିବ। ଏହି ସପ୍ତାହରେ ଶୀତଲହରୀ ରହିବାର ସମ୍ଭାବନା ୬୮ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରହିଥିବା ଜଣାପଡ଼ିଛି।ଏହାସହ ୧୩ରୁ ୧୫ ତାରିଖ ଯାଏ ଘନ କୁହୁଡ଼ି ରହିବାର ସମ୍ଭାବନା ଥିବା ବେଳେ, ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ପୁଣି ଶୀତଲହରୀ ଆସିପାରେ ବୋଲି ବିସ୍ତାରିତ ପୂର୍ବାନୁମାନରେ କୁହାଯାଇଛି। ଏହି ସମୟରେ ପୂର୍ବ ଓ କେନ୍ଦ୍ରୀୟ ଓଡ଼ିଶାରେ ରାତି ସମୟର ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ କମ ରହିବ। ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକଠାରୁ ୫ରୁ ୬ ଡିଗ୍ରୀ ତଳେ ରହିଛି।

ଦକ୍ଷିଣ ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ କମ ରହୁଛି। ଏହାକୁ ଦୃଷ୍ଟିରେ ରଖି କିଛି ସ୍ଥାନରେ ଶୀତଲହରୀ ସତର୍କତା ଜାରି କରାଯାଇଛି।ଆଜି ଶୀତଲହରୀ ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁର, କଟକ, ଖୋର୍ଦ୍ଧା, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର—ମୋଟ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୨ ତାରିଖରୁ ପୁଣି କୁହୁଡ଼ି ବଢ଼ିବା ସହ ୧୪ ତାରିଖ ପର୍ଯ୍ୟନ୍ତ କିଛି କିଛି ସ୍ଥାନରେ ଘନ କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି।ଏପଟେ ମୟୂରଭଞ୍ଜ ଜିଲ୍ଲା ଓ ଶିମିଳିପାଳ ଅଞ୍ଚଳରେ ପାରଦ ଶୂନ୍ୟ ଡିଗ୍ରୀକୁ ଖସିଯାଇଛି।

ଶିମିଳିପାଳର ଉପରବାରା କାମୁଡ଼ାରେ ଶୂନ୍ୟ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ, ଚାହାଲାରେ ୨ ଡିଗ୍ରୀ ଓ ବରେହିପାଣିରେ ୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ମୟୂରଭଞ୍ଜର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ତୀବ୍ର ଶୀତ ଜନଜୀବନକୁ ଅସହ୍ୟ କରିଦେଇଛି।ଦିନ ହେଉ କି ରାତି, ପ୍ରଚଣ୍ଡ ଜାଡ଼ ଯୋଗୁଁ ସାଧାରଣ ଜୀବନ ଗଭୀର ଭାବେ ପ୍ରଭାବିତ ହୋଇଥିବା ବେଳେ, ପାଣିପାଗ ବିଭାଗ ଲୋକଙ୍କୁ ସତର୍କ ରହିବା ଓ ଆବଶ୍ୟକ ସାବଧାନତା ଅବଳମ୍ବନ କରିବାକୁ ପରାମର୍ଶ ଦେଇଛି।

Leave a Reply

Your email address will not be published. Required fields are marked *