ନ୍ୟୁଜ ଡେକ୍ସ: ରାଜ୍ୟରେ ଆଜିଠୁ ଖୋଲିବ ଧାନମଣ୍ଡି । ଆଜିଠାରୁ ଖରିଫ ଧାନ ମଣ୍ଡି ଖୋଲିବାକୁ ଯାଉଛନ୍ତି ରାଜ୍ୟ ସରକାର। ତେବେ ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଧନ୍ଦି ହେଉଥିବା ଚାଷୀଙ୍କୁ ମୁକ୍ତି ଦେବାକୁ ଏଥର ମୋହନ ସରକାର ନେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆଜିଠୁ ବରଗଡ଼ ଓ ୨୧ରେ ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବାକୁ ଯାଉଥିବା ବେଳେ ଧାନ କିଣାରୁ ବିକ୍ରି ପର୍ଯ୍ୟନ୍ତ ମଣ୍ଡିରେ ଅଫିସର ଜଗିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।
ଧାନ ସଂଗ୍ରହ ସମୟରେ ଶସ୍ୟର ମାନ ପରୀକ୍ଷଣ ଲାଗି ପ୍ରଥମ ଥର ପାଇଁ ୨୦୦ଟି ମଣ୍ଡିଆରେ ସ୍ବୟଂକ୍ରିୟ ଶସ୍ୟ ମାନ ପରୀକ୍ଷଣ ଯନ୍ତ୍ର ଲଗାଯିବ। ୪୦୦୦ ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ କ୍ଷମତା ଥିବା ୨୦୦ଟି ବୃହତ ମଣ୍ଡିରେ ଏହି ଅଟୋମେଟିକ ଗ୍ରେନ ଆନାଲାଇଜର ମେସିନ ଲଗାଯିବ। ଧାନର ଆର୍ଦ୍ରତା ପରୀକ୍ଷଣ ମେସିନ ମଧ୍ୟ ବ୍ୟବସ୍ଥା କରାଯାଇଛି।
ଏହାଦ୍ବାରା ଦଲାଲି, କଟଣି ଛଟଣିକୁ ବନ୍ଦ କରି ଚାଷୀଙ୍କୁ ସେମାନଙ୍କ ଫସଲର ଉଚିତ ମୂଲ୍ୟ ପ୍ରଦାନ କରାଯାଇପାରିବ । ସେହିପରି ୨୨ ତାରିଖରୁ ସମ୍ବଲପୁର ଜିଲାରୁ ଧାନକିଣା ଆରମ୍ଭ ହେବ। ତେବେ ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ରାଜ୍ୟ ସରକାର ଅତିରିକ୍ତ ୮୦୦ ଟଙ୍କା (ମୋଟ ୩୧୦୦ ଟଙ୍କା) ଦେବାକୁ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଡିସେମ୍ବର ୮ ତାରିଖରେ ବରଗଡ଼ ଜିଲା ସୋହେଲାରୁ ଏହି ଅର୍ଥ ପ୍ରଦାନ ଚାଷୀଙ୍କୁ ହସ୍ତାନ୍ତର କରାଯିବା ଡିସେମ୍ବର ୭ସୁଦ୍ଧା ମଣ୍ଡିରେ ଧାନ ଦେଇଥିବା ସମସ୍ତ ଚାଷୀ ଏକାଥରକେ କ୍ବିଣ୍ଟାଲ ପିଛା ବକେୟା ୮୦୦ ଟଙ୍କା ଲେଖାଏଁ ପାଇବେ।
ଅନ୍ୟ ଏକ ଅଭିଯୋଗ ଅନୁସାରେ, କେଉଁ ଚାଷୀଙ୍କର ୫ ଏକର ଜମି ଥିବା ବେଳେ ମାତ୍ର ୪ କୁଇଣ୍ଟାଲ ଧାନ ପାଇଁ ଟୋକନ ଆସିଛି l ତେବେ ଟୋକନର ଏପରି ଅବ୍ୟବସ୍ଥା କୁନେଇ ଚାଷୀ ମହଲରେ ଅସନ୍ତୋଷ ଲାଗି ରହିଛି । ଏହାର ସମାଧାନ ପାଇଁ ଏବଂ ଧାନ କ୍ବାଲିଟି ଉପରେ ପ୍ରସାଶନ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାବି ଉଠିଲାଣି । କେତେ କୁଇଣ୍ଟାଲ ପର୍ଯ୍ୟନ୍ତ କେବେ ପାଇବେ ସ୍ପଷ୍ଟ କରନ୍ତୁ ବୋଲି କୃଷକ ସଙ୍ଗଠନ ଦାବି କରିଛି । ଗତ ରବି ଋତୁରେ ଜିଲ୍ଲାର ୧୧୩ ମିଲର ଧାନ ସଂଗ୍ରହରେ ସାମିଲ ହୋଇଥିଲା ବେଳେ, ଚଳିତ ଖରିଫ ଋତୁରେ କୌଣସି ମିଲର ପଞ୍ଜିକରଣ କରି ନାହାନ୍ତି ।