Sat. Feb 28th, 2026

ନ୍ୟୁଜ ଡେକ୍ସ : ଆଜିଠାରୁ ରାଜ୍ୟର ସପ୍ତଦଶ ବିଧାନସଭାର ପଞ୍ଚମ ଅଧିବେଶନ ଅଥବା ଶୀତ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ଗୃହରେ ଶୋକମୟ ପରିବେଶ ମଧ୍ୟରେ ଦିବଙ୍ଗତ ପୂର୍ବତନ ବିଧାୟକ ଏବଂ ସହୀଦ ପୋଲିସ କନଷ୍ଟେବଳଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ପାରିତ ହୋଇଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଦିବଙ୍ଗତ ପୂର୍ବତନ ବଣାଇ ବିଧାୟକ ହେମେନ୍ଦ୍ର ପ୍ରସାଦ ମହାପାତ୍ର, ପୂର୍ବତନ ଜଗତସିଂହପୁର ବିଧାୟକ ସ୍ୱର୍ଗତ କୃଷ୍ଣଚନ୍ଦ୍ର ମଲ୍ଲିକ ଓ ଓଡ଼ିଶା ପୋଲିସର ସହୀଦ କନଷ୍ଟେବଳ ସରୋଜ କୁମାର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ।

ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ ସିପିଆଇ(ଏମ) ଦଳର ନେତା ଲକ୍ଷ୍ମଣ ମୁଣ୍ଡା ସମର୍ଥନ କରିଥିଲେ। ଏହା ପରେ ବାଚସ୍ପତି ସୁରମା ପାଢ଼ୀ ଦିବଙ୍ଗତ ଆତ୍ମାମାନଙ୍କ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଗୋଟିଏ ମିନିଟ୍ ନୀରବ ପ୍ରାର୍ଥନା ପାଇଁ ଗୃହକୁ ନିର୍ଦ୍ଦେଶ ଦେଇଥିଲେ। ଶୋକ ପ୍ରସ୍ତାବ ପାରିତ ହେବା ପରେ ବାଚସ୍ପତି ଆଜିର ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।ଆଜିର ଅଧିବେଶନର ବିଶେଷ ଆକର୍ଷଣ ହେଉଛି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଧାନସଭା ଆଗମନ। ବାଚସ୍ପତି ଗୃହରେ ସୂଚନା ପ୍ରଦାନ କରି ସମସ୍ତ ବିଧାୟକ ଓ ସଦସ୍ୟାମାନଙ୍କୁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ଅନୁରୋଧ କରିଥିଲେ।ବିରୋଧୀ ଦଳ ପକ୍ଷରୁ ଆସିଥିବା କିଛି ପ୍ରଶ୍ନ ବାଚସ୍ପତି ଗ୍ରହଣ କରିଥିଲେ ମଧ୍ୟ ଆଜି ସେଗୁଡ଼ିକ ଉପରେ ଆଲୋଚନା କରାଯିବ ନାହିଁ ବୋଲି ସୂଚନା ଦିଆଯାଇଛି।

ଆଜି କେବଳ ରାଷ୍ଟ୍ରପତିଙ୍କ ଅଭିଭାଷଣ ହିଁ କାର୍ଯ୍ୟସୂଚୀର ମୁଖ୍ୟ ଅଂଶ ରହିଛି।ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୪ଟା ୩୦ ମିନିଟ୍ରେ ରାଷ୍ଟ୍ରପତି ବିଧାନସଭାରେ ପହଞ୍ଚିବେ। ସେଠାରେ ପ୍ରଥମେ ବିଧାୟକମାନଙ୍କ ସହ ଫଟୋ ସେସନ ହେବ। ଏହାପରେ ସେ ବିଧାନସଭାକୁ ସମ୍ବୋଧନ କରିବେ। ଉଲ୍ଲେଖନୀୟ ଯେ, ମହାମହିମ ଦ୍ରୌପଦୀ ମୁର୍ମୁ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ସଦସ୍ୟ ଥିଲେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ବିଜେପି-ବିଜେଡି ମେଣ୍ଟ ସରକାରରେ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହି ଆଗମନ ସହ ବିଧାନସଭାରେ ସେହି ପୁରୁଣା ସ୍ମୃତି ଉଜ୍ଜୀବିତ ହେବ ବୋଲି ଧାରଣା କରାଯାଉଛି।ଅଭିଭାଷଣ ପରେ ରାଷ୍ଟ୍ରପତି ୧୧ ନମ୍ବର ରୁମକୁ ଯାଇ କିଛି ସମୟ ଅତିବାହିତ କରିବେ।

Leave a Reply

Your email address will not be published. Required fields are marked *