ନ୍ୟୁଜ ଡେକ୍ସ: ରାଜ୍ୟରେ ଆଜିଠୁ ସାମାନ୍ୟ କମିବ ଶୀତ ଲହରି । ସେପଟେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ଥିବା ବେଳେ ୧୯ ରୁ ୨୧ ଯାଏଁ ଉପକୂଳ ଓଡ଼ିଶାରେ ବର୍ଷା ହେବା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୮ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
୧୯ ତାରିଖରେ ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଓ କଳାହାଣ୍ଡିରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ସେହିପରି ୨୦ ତାରିଖରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ସୋନପୁରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ମଙ୍ଗଳବାରଠାରୁ ରାତି ତାପମାତ୍ରା କମିବ । ବୁଧବାର ଏହା ଆହୁରି କମିବ । ଆଗକୁ ଏହା ୩ରୁ ୫ ଡିଗ୍ରୀ ଯାଏ କମିବ । ଫଳରେ ଶୀତ କମିବ । ତେବେ ଦିନରେ ପାଗ କୋହଲା ରହିବ । ଦିନ ତାପମାତ୍ରା ବି ୩ରୁ ୫ ଡିଗ୍ରୀ କମିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି ପୂର୍ବାନୁମାନ କରିଛନ୍ତି ।
ପାଗ କୋହଲା ସହିତ ଦିନ ତାପମାତ୍ରା କମିଲେ ଥଣ୍ଡା ଅନୁଭୂତ ହେବ । ସୋମବାର ରାତିରେ ଜି ଉଦୟଗିରି ସବୁଠୁ ଥଣ୍ଡା ପାଲଟିଥିଲା । ଏଠାରେ ରାତି ତାପମାତ୍ରା ୪.୭ ଡିଗ୍ରୀ ରେକର୍ଡ ହୋଇଛି । ରାଉରକେଲାରେ ପାରଦ ୫.୭ ଡିଗ୍ରୀ ଥିଲା । ଝାରସୁଗୁଡ଼ାରେ ୮.୨, ଫୁଲବାଣୀରେ ୭.୫, ସୁନ୍ଦରଗଡ଼ରେ ୮.୬, କେନ୍ଦୁଝରରେ ୮.୯, ନବରଙ୍ଗପୁର, ଭବାନୀପାଟଣା ଓ ଅନୁଗୁଳରେ ୯, ଭଦ୍ରକରେ ୯.୫, ବଲାଙ୍ଗୀରରେ ୧୦, କୋରାପୁଟରେ ୧୦.୮ ଡିଗ୍ରୀ ରେକର୍ଡ ହୋଇଛି । ୧୦ ଡିଗ୍ରୀ ତଳେ ୯ ସହର ରହିଥିବା ସୂଚନା ମିଳିଛି।