ନ୍ୟୁଜ ଡେକ୍ସ : ଆଜିଠୁ ସାରା ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ମାତୃଭାଷା ପରୀକ୍ଷା ଦେଉଛନ୍ତି। ଆସନ୍ତାକାଲିଠୁ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଆରମ୍ଭ ହେବ ଓ ୨୦ ତାରିଖରୁ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ହେବ।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ଚଳିତ ବର୍ଷ ସାରା ରାଜ୍ୟର ୧୯୦୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪ ଲକ୍ଷ ୧ ହଜାର ୬୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।
ସେଥିପାଇଁ ୧୩୫୭ଟି ପରୀକ୍ଷା କେନ୍ଦ୍ର ଓ ୭ଟି ଉପକେନ୍ଦ୍ର ସ୍ଥାପନ କରାଯାଇଛି।ବିଭାଗ ଅନୁସାରେ କଳାରେ ସର୍ବାଧିକ ୨ ଲକ୍ଷ ୫୬ ହଜାର ୭୦୭ ଜଣ, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୩୬୩ ଜଣ, ବାଣିଜ୍ୟରେ ୨୪ ହଜାର ୬୨୧ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୯୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏହାସହ ଚଳିତ ବର୍ଷ ୨୫ ହଜାର ୮୮ ଜଣ ଏକ୍ସ–ରେଗୁଲାର୍ ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଦେଉଛନ୍ତି।କପି ରୋକିବା ପାଇଁ ୧୨୦ଟି କେନ୍ଦ୍ରୀୟ ସ୍କ୍ୱାଡ୍, ୭୫ଟି ଜୋନାଲ୍ ସ୍କ୍ୱାଡ୍, ୧୩୬୪ଟି ନିରୀକ୍ଷକ ସ୍କ୍ୱାଡ୍ ଓ ୧୩୬୪ଟି ଜିଲ୍ଲା ପ୍ରଶାସନ ସ୍କ୍ୱାଡ୍ ନିୟୋଜିତ ହୋଇଛନ୍ତି।
ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ମାଧ୍ୟମରେ ନଜର ରଖାଯାଉଛି ଏବଂ ମୋବାଇଲ୍ ଓ ବୈଦ୍ୟୁତିକ ସାମଗ୍ରୀ ରୋକିବାକୁ ଦୁଇ ସ୍ତରୀୟ ଯାଞ୍ଚ ବ୍ୟବସ୍ଥା କରାଯାଇଛି। ପରୀକ୍ଷା ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ ଏବଂ ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସିଏଚ୍ଏସ୍ଇ ମୁଖ୍ୟାଳୟରେ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି ଯେଉଁଠାରୁ ସମସ୍ତ କେନ୍ଦ୍ରର ସିସିଟିଭି ଲାଇଭ୍ ମନିଟରିଂ କରାଯାଉଛି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ ସଫଳତା କାମନା କରିଛନ୍ତି।

