ନ୍ୟୁଜ ଡେକ୍ସ :ଓଡ଼ିଶାର ରାୟଗଡ଼ା ଜିଲ୍ଲା ପାଇଁ ଆଜି ଏକ ଐତିହାସିକ ଦିନ। ଦୀର୍ଘ ବର୍ଷ ଧରି ମାଓବାଦୀ ପ୍ରଭାବରେ ଥିବା ଏହି ଜିଲ୍ଲାକୁ ଆଜି ସରକାରୀ ଭାବେ ନକ୍ସଲମୁକ୍ତ ଘୋଷଣା କରାଯାଇଛି। ଏହି ସୂଚନା ଦେଇଛନ୍ତି ଓଡ଼ିଶା ପୋଲିସର ଏଡିଜି (ଆଣ୍ଟି-ନକ୍ସଲ) ସଞ୍ଜୀବ କୁମାର ପଣ୍ଡା। ସେ ପ୍ରେସମିଟ୍ରେ କହିଛନ୍ତି ଯେ କୁଖ୍ୟାତ ମାଓ ଦମ୍ପତି ନିଖିଲ ଓ ଇନ୍ଦୁଙ୍କ ସହ ୧୫ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ଏହି ସଫଳତା ମିଳିଛି।
ବାସଧାରା–ଘୁମୁସର–ନାଗାବଳି ଡିଭିଜନର ଦୁଇ କୁଖ୍ୟାତ ମାଓବାଦୀ ନିଖିଲ ଓ ଇନ୍ଦୁଙ୍କ ସହ ବିକାଶ, ସୁନ୍ଦର, ପ୍ରଦୀପ, ରୋସନି, ଅରୁଣା, ନନ୍ଦେ, ନିକିତା, କୁମାରୀ, ଦୀପକ, ରାକେଶ, ଲଲିତ୍, ରାଜେ ଏବଂ ମାଳତି – ମୋଟ ୧୫ ଜଣ ମାଓବାଦୀ ସୁରକ୍ଷା ବାହିନୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।ନିଖିଲ ଓ ଇନ୍ଦୁଙ୍କ ମୁଣ୍ଡ ଉପରେ ମୋଟ ୧ କୋଟି ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଥିଲା, ଯାହା ତାଙ୍କର ମାଓବାଦୀ ସଂଗଠନରେ ଭୂମିକାକୁ ପ୍ରମାଣ କରେ। ଏହି ମାଓ ଦମ୍ପତି ଓ ତାଙ୍କ ସହଯୋଗୀମାନେ ନିୟମଗିରି ପାଦଦେଶରେ ରହି ବାଘୁନା ଡିଭିଜନକୁ ପରିଚାଳନା କରୁଥିବା ଜଣାପଡ଼ିଛି। ଆତ୍ମସମର୍ପଣ ସମୟରେ ମାଓବାଦୀମାନେ ୨ଟି ଏକେ–୪୭, ୫ଟି ଏସଏଲଆର, ୧ଟି ଷ୍ଟେନଗନ, ୧ଟି ଇନସାସ୍ ରାଇଫଲ, ୧ଟି ଅନ୍ୟ ରାଇଫଲ ଓ ବହୁ ପରିମାଣର ଅଫୁଟା ଗୁଳି ପୋଲିସକୁ ହସ୍ତାନ୍ତର କରିଛନ୍ତି।
ଏହା ମାଓବାଦୀ କାର୍ଯ୍ୟକଳାପ ଉପରେ ଏକ ବଡ଼ ଆଘାତ ଭାବେ ଦେଖାଯାଉଛି।ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ କହିଛନ୍ତି ଯେ ସେମାନେ ହିଂସାର ପଥ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହାଁନ୍ତି। ଆଗାମୀ ଦିନରେ ସେମାନେ ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ ସାମାଜିକ ଓ ଗଢ଼ନାତ୍ମକ କାର୍ଯ୍ୟରେ ଲାଗିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି।ଏହି ସଫଳତା କେନ୍ଦ୍ର ସରକାରଙ୍କ ନକ୍ସଲମୁକ୍ତ ଭାରତ ଲକ୍ଷ୍ୟରେ ଏକ ବଡ଼ ପଦକ୍ଷେପ। କେନ୍ଦ୍ର ସରକାର ଯେଉଁ ଟାର୍ଗେଟ୍ ଧରି ମାଓବାଦୀ ବିରୋଧୀ ଅଭିଯାନ ଚାଲାଉଛନ୍ତି, ତାହା ଧୀରେ ଧୀରେ ସଫଳ ହେଉଛି। କିଛି ଦିନ ପୂର୍ବେ କୋରାପୁଟ ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଥିଲା, ଯାହା ସୂଚନା ଦେଇଥିଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡାକ୍ଟର କନୱର ବିଶାଳ ସିଂହ। ରାୟଗଡ଼ାକୁ ନକ୍ସଲମୁକ୍ତ ଘୋଷଣା ହେବା ସହିତ ଓଡ଼ିଶା ଓ ଦେଶର ମାଓବାଦ ପ୍ରଭାବିତ ଅଞ୍ଚଳରେ ଶାନ୍ତି, ବିକାଶ ଓ ସୁରକ୍ଷାର ନୂଆ ଦିଗ ଖୋଲିଛି।

