ନ୍ୟୁଜ ଡେକ୍ସ: ଆଜି ଠାରୁ ପଞ୍ଚକ ବ୍ରତ ଆରମ୍ଭ ହେବାକୁ ଯାଉଛି। ପଞ୍ଚକ ବ୍ରତ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷ କରି ପଞ୍ଚକରେ ଶ୍ରୀମନ୍ଦିରରେ କେବଳ ସିଂହଦ୍ୱାର ଦେଇ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିବ।
ମହାପ୍ରଭୁଙ୍କ ଦର୍ଶନ ସାରି ଭକ୍ତମାନେ ଅନ୍ୟ ୩ଦ୍ୱାର ଦେଇ ପ୍ରସ୍ଥାନ କରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁଙ୍କର ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ। ବୁଧବାର ବାଙ୍କଚୂଡ଼ା ବେଶ ଏବଂ୧୪ ତାରିଖରେ ଡାଳିକିଆ ବା ତ୍ରିବିକ୍ରମ ବେଶ ହେବ। ୧୫ ତାରିଖ ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବା ସୁନାବେଶ କରାଯିବ । ପଞ୍ଚୁକରେ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କର ଭିଡ ଜମେ। ତେଣୁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୋମବାର କାର୍ତ୍ତିକ ମାସର ଶେଷ ସୋମବାର ଥିବାରୁ ମହାପ୍ରଭୁ ହରିହର ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ।
ଭକ୍ତମାନେ ଦର୍ଶନ ପାଇଁ ମରିଚିକୋଟ ଛକରୁ ଗୋଟିଏ ଧାଡ଼ିରେ ପ୍ରବେଶ କରିବେ। ମହାପ୍ରଭୁଙ୍କ ନୀତିକାନ୍ତି ସଂପର୍କିତ ସୂଚନା ମାଇକ୍ ଜରିଆରେ ପ୍ରଦାନ କରାଯିବ। ଛାୟାପ୍ରଦ ସେଡ୍ ଭିତରେ ଗରମରୁ ରକ୍ଷା ପାଇଁ ଫ୍ୟାନ୍, ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯାଇଛି। ପଞ୍ଚକ ଭିଡ଼କୁ ନଜରରେ ରଖି ଶ୍ରୀମନ୍ଦିର ନୀଳଚକ୍ର ଧ୍ବଜାବନ୍ଧା ନୀତି ସଅଳ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ଏ ନେଇ ଚୁନରା ସେବକମାନଙ୍କୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି ହୋଇଛି।