Sat. Feb 21st, 2026

ନ୍ୟୁଜ ଡେକ୍ସ:ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି। ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ହାଟପଦାସ୍ଥିତ ରାଜଦରବାରରେ ଉଦ୍‌ଘାଟନ ‌ହୋଇଛି। ଏଥି ସହିତ ୧୧ ଦିନ ଚାଲିବାକୁ ଥିବା ଧନୁଯାତ୍ରାରେ ମହାରାଜ କଂସଙ୍କ ରାଜୁତି ଆରମ୍ଭ ହୋଇଯାଇଛି। ଦ୍ବାପରଯୁଗରେ ଭଗବାନ କୃଷ୍ଣ କରିଥିବା ଲୀଳାଖେଳାକୁ ଆଧାର କରି ପୌରାଣିକ କଥାବସ୍ତୁ ଉପରେ ବରଗଡ଼କୁ ମଥୁରାନଗରୀ ଭାବେ ଉପସ୍ଥାପନା କରାଯାଇଛି।

ସେହିପରି ଅମ୍ବାପାଲି ଗୋପପୁରରେ ପରିଣତ ହୋଇଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ କଂସଙ୍କ ଅଟ୍ଟହାସ୍ୟ ଓ ଆଦେଶରେ ଥରହର ମଥୁରାନଗରୀ ହେବ। ଧନୁଯାତ୍ରା ପାଇଁ ଲୋକଙ୍କ ମନରେ ଉତ୍ସାହ ଦେଖାଯାଇଛି। ବରଗଡ଼ ପାଲଟି ଯିବ ମଥୁରା ନଗରୀ , ଅମ୍ବାପାଲି ପାଲଟିଯିବ ଗୋପପୁର ଏବଂ ଚିର ପ୍ରବାହିତ ଜୀରାନଦୀ ପାଲଟିଯିବ ଯମୁନା ନଦୀ । ଆବାଳ ବୃଦ୍ଧବନିତା ପାଲଟିଯିବେ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଜଣେ ଜଣେ କଳାକାର ।

ଧନୁଯାତ୍ରା ପାଇଁ ସାରା ବରଗଡ଼ ସହର ଚଳଚଞ୍ଚଳ ହୋଇପଡ଼ିଛି। ଶାନ୍ତିଶୃଙ୍ଖଳାକୁ ନଜରରେ ରଖି ବ୍ୟାପକ ପ୍ରସ୍ତୁତି କରିଛି ପୁଲିସ ପ୍ରଶାସନ । ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି । ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି ସହ ୨୦ ପ୍ଲାଟୁନ ପୁଲିସ ଫୋର୍ସ ଓ ୧୫୦ ଅଫିସରଙ୍କୁ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *