ନ୍ୟୁଜ ଡେକ୍ସ: ଆଜିଠୁ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ସାତକୋଶିଆ ଗଣ୍ଡରେ କୁମ୍ଭୀର ଗଣନା । ଏହି ଗଣନା କାର୍ଯ୍ୟ ତିନି ଦିନ ଧରି ଚାଲିବ । ପ୍ରତିବର୍ଷ ଶୀତଋତୁରେ କୁମ୍ଭୀର ଗଣନା କାର୍ଯ୍ୟ କରାଯାଇଥାଏ । ଶୀତଋତୁରେ ଅତ୍ୟଧିକ ଥଣ୍ଡା ଯୋଗୁଁ କୁମ୍ଭୀରମାନେ ପାଣିରୁ ବାହାରି ସ୍ଥଳଭାଗରେ କିମ୍ବା ନଦୀବାଲିପଠାରେ ଶୋଇଥାନ୍ତି ।
ସୂଚନା ଅନୁସାରେ, ଆଜି ସକାଳୁ ସାତକୋଶିଆରେ କୁମ୍ଭୀର ଏବଂ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଏଥିପାଇଁ ସାତକୋଶିଆ, ଆଠମଲ୍ଲିକ, ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ୧୪ଟି ଟିମ ବିଭିନ୍ନ ଜାଗାରେ ଡଙ୍ଗାରେ ଯାଇ ପକ୍ଷୀ ଓ କୁମ୍ଭୀର ଗଣନା କରୁଛନ୍ତି । ଅଭୟାରଣ୍ୟ ମଧ୍ୟରେ ଥିବା ଚାରୋଟି ବନଖଣ୍ଡର କର୍ମଚାରୀଙ୍କୁ ନେଇ ୧୪ଟି ଟିମ୍ ଗଠନ କରାଯାଇଛି । ଚଳିତ ବର୍ଷ କେବଳ ୧୪ଟି ଦେଶୀ ଡଙ୍ଗା ସାହାଯ୍ୟରେ ଏହି ଗଣନା କରିବା ନେଇ ସୂଚନା ମିଳିଛି ।
ସାତକୋଶିଆ ମହାନଦୀ ଗଣ୍ଡରେ ୨୩ କିମି ପର୍ଯ୍ୟନ୍ତ ଗଣନା କରାଯିବାର ଯୋଜନା ରହିଛି । ଗଣନା କାର୍ଯ୍ୟ ପାଇଁ ଚଳିତ ମାସ ୫ରୁ ୯ ତାରିଖ ପର୍ଯ୍ୟନ୍ତ ସାତକୋଶିଆ ମହାନଦୀ ଗଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବନ୍ଦ କରାଯାଇଛି । ସମୁଦାୟ ୩ ଦିନ ଧରି ଚାଲିବ ଗଣନା କାର୍ଯ୍ୟ । ଟିକରପଡ଼ାରୁ ବିନିକେଇ, ବିନିକେଇରୁ ପତାକା, ଟିକରପଡାରୁ କଟରଙ୍ଗ, କଟରଙ୍ଗରୁ ବାଲିପୁଟ, ବାଲିପୁଟରୁ ଚକ୍ରଗଡ଼, ଆଠମଲ୍ଲିକର ହରଭଙ୍ଗାରୁ ଅଏଡ଼ା, ଲୁଣହାଣ୍ଡି, ବେଲପୁଞ୍ଜିମଠ, ଶିଶୁପଥର ଡ୍ୟାମ ଆଦି ଜଳାଶୟରେ କୁମ୍ଭୀର ଓ ପକ୍ଷୀ ଗଣନା କରାଯିବ ।