Sat. Feb 21st, 2026

ନ୍ୟୁଜ ଡେକ୍ସ : ଆଜି ରାତିରେ ଆକାଶରେ ଦେଖାଦେବ ଏକ ଅପୂର୍ବ ମହାଜାଗତିକ ଦୃଶ୍ୟ। ନୂଆବର୍ଷର ପ୍ରଥମ ପୂର୍ଣ୍ଣଚନ୍ଦ୍ର ଭାବେ ସୁପରମୁନ ଆକାଶରେ ଦୃଶ୍ୟମାନ ହେବ। ସାଧାରଣ ପୂର୍ଣ୍ଣଚନ୍ଦ୍ର ତୁଳନାରେ ଏହି ସୁପରମୁନ ପ୍ରାୟ ୧୪ ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ଅଧିକ ଉଜ୍ୱଳ ଦେଖାଯିବ।ବୈଜ୍ଞାନିକମାନଙ୍କ ଅନୁସାରେ, ଚନ୍ଦ୍ର ନିଜ କକ୍ଷପଥରେ ପୃଥିବୀର ସବୁଠାରୁ ନିକଟତର ସ୍ଥିତିରେ ପହଞ୍ଚିବା ସମୟରେ ଯଦି ପୂର୍ଣ୍ଣ ଅବସ୍ଥାରେ ରହେ, ସେତେବେଳେ ଏପରି ଘଟଣା ଘଟେ।

ଏହି କାରଣରୁ ଚନ୍ଦ୍ର ଅପେକ୍ଷାକୃତ ଅଧିକ ବଡ଼ ଓ ଉଜ୍ୱଳ ଦିଶେ। ବୈଜ୍ଞାନିକ ଭାଷାରେ ଏହାକୁ ‘ମୁନ ଇଲ୍ୟୁଜନ’ ବୋଲି କୁହାଯାଏ।ପୂର୍ଣ୍ଣିମା ଆଜି ସକାଳ ପ୍ରାୟ ୧୦ଟା ସମୟରେ ଥିଲେ ମଧ୍ୟ, ଏହାର ପ୍ରକୃତ ସୌନ୍ଦର୍ଯ୍ୟ ସୂର୍ଯ୍ୟାସ୍ତ ପରେ ଆକାଶରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିବ। ଭାରତରେ ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ସୁପରମୁନ ଦେଖାଯିବା ଆରମ୍ଭ କରିବ। ପ୍ରାଚୀନ କାଳରେ ଜାନୁଆରୀ ମାସର ପୂର୍ଣ୍ଣିମା ରାତିରେ ଗଧିଆମାନେ ବେଶି ବୋବାଉଥିବାରୁ ଏହି ପୂର୍ଣ୍ଣଚନ୍ଦ୍ରକୁ ‘ଉଲ୍ଫ ମୁନ’ ବୋଲି ମଧ୍ୟ କୁହାଯାଏ।

ଏହି ସୁପରମୁନ ଦେଖିବା ପାଇଁ ବାଇନାକୁଲାର କିମ୍ବା ଟେଲିସ୍କୋପର କୌଣସି ଆବଶ୍ୟକତା ନାହିଁ; ଖାଲି ଆଖିରେ ମଧ୍ୟ ଏହା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ।ବୈଜ୍ଞାନିକ ସୂଚନା ଅନୁଯାୟୀ, ଚଳିତ ବର୍ଷ ଶେଷ ଆଡ଼କୁ ଆଉ ଦୁଇଥର ସୁପରମୁନ ଦେଖାଯିବ। ଆସନ୍ତା ନଭେମ୍ବର ୨୪ ଏବଂ ଡିସେମ୍ବର ୨୪ ତାରିଖରେ ପୁଣିଥରେ ଏହି ଅଦ୍ଭୁତ ଖଗୋଳିୟ ଦୃଶ୍ୟ ଆକାଶରେ ଦେଖିବାକୁ ମିଳିବ।

Leave a Reply

Your email address will not be published. Required fields are marked *