ନ୍ୟୁଜ ଡେକ୍ସ : ଓଡିଆଙ୍କ ଭାରି ପ୍ରିୟ ଦହିବରା ଆଳୁଦମ ଆଜି କେବଳ ଏକ ଖାଦ୍ୟ ନୁହେଁ, ଏହା ଏକ ପରିଚୟରେ ପରିଣତ ହୋଇଛି। ଦହିବରା ପାଇଁ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛି କଟକ। ଏହା ଓଡିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଥିବା ବେଳେ କଟକର ଦହିବରା ଆଳୁଦମ ଖାଇବା ପାଇଁ ଦେଶ ବିଦେଶରୁ ଲୋକେ ଆସୁଛନ୍ତି। ସକାଳ ହେଉ କି ସନ୍ଧ୍ୟା, ଦହିବରା ଟିକେ ନହେଲେ ମନ ମାନେନା ବୋଲି କହନ୍ତି ଖାଦ୍ୟରସିକମାନେ।
ଦହିବରାର ମହତ୍ୱକୁ ଆଉ ଟିକେ ଅଧିକ ପ୍ରତିପାଦିତ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୧ ତାରିଖକୁ ବିଶ୍ୱ ଦହିବରା ଆଳୁଦମ ଦିବସ ଭାବେ ପାଳନ କରାଯାଏ। ଏହି ଦିବସକୁ ଓଡିଶାବାସୀ ବେଶ ଧୂମଧାମରେ ପାଳନ କରିଥାନ୍ତି। ନରମ ନରମ ଦହିରେ ଭିଜା ବରା, ଆଳୁ କଷା ସାଙ୍ଗକୁ ଗରମ ଘୁଘୁନି ମିଶିଲେ ତିଆରି ହୁଏ ସ୍ୱାଦିଷ୍ଟ ଦହିବରା ଆଳୁଦମ। ଖାଇସାରିବା ପରେ ଦହିପାଣି ଓ ସେଓ ଖାଇବାର ମଜା ହିଁ କିଛି ଅଲଗା।ଦଶହରା ହେଉ କି ବାଲିଯାତ୍ରା, ସବୁ କଟକିଆ ସକାଳୁ ଉଠି ଦହିବରା ଖାଇବାକୁ ଚାଲି ଆସନ୍ତି। କେବଳ ପର୍ବ ପର୍ବାଣୀ ନୁହେଁ, ସକାଳ ଜଳଖିଆ କିମ୍ବା ସନ୍ଧ୍ୟା ଜଳଖିଆରେ ମଧ୍ୟ ଦହିବରା କଟକିଆଙ୍କ ମୁଖ୍ୟ ଖାଦ୍ୟ ଭାବେ ପରିଚିତ।
ପେଟେ ଭରି ଖାଇଦେଲେ ଦିନ ସାରା ଭାତ ଖାଇବାକୁ ମନ ହୁଏନାହିଁ ବୋଲି ଅନେକେ କହନ୍ତି। ସତୁରି ଓ ଅଶୀ ଦଶକରେ ବିଡ଼ାନାସୀ ଅଞ୍ଚଳର କିଛି ବେପାରୀ ସାଇକେଲରେ ଦହିବରା ହାଣ୍ଡି ନେଇ ବ୍ୟବସାୟ କରୁଥିଲେ। ସେଥିମଧ୍ୟରୁ ରଘୁ ଦହିବରା ବହୁତ ଲୋକପ୍ରିୟ ଥିଲା। ୧୯୯୦ ମସିହା ପରଠାରୁ ଠେଲାଗାଡ଼ିରେ ଦହିବରା ବିକ୍ରି ଆରମ୍ଭ ହୋଇଥିଲା। ସେହି ସମୟରୁ ଦହିବରାର ଚାହିଦା ଲଗାତାର ବଢିବାକୁ ଲାଗିଲା।ଆଜି କେବଳ କଟକ ନୁହେଁ, ଓଡିଶାର ବିଭିନ୍ନ ସ୍ଥାନରେ ଦହିବରା ବିକ୍ରି ହେଉଛି। ତଥାପି ଲୋକଙ୍କର ପ୍ରଥମ ପସନ୍ଦ ରହିଛି କଟକ ଦହିବରା। ଓଡିଆଙ୍କ ରୁଚି, ପରମ୍ପରା ଓ ଭାବନା ସହ ଜଡିତ ଏହି ଦହିବରା ଆଳୁଦମ ଆଗାମୀ ଦିନରେ ମଧ୍ୟ ଏଭଳି ଭାବରେ ସମସ୍ତଙ୍କ ମନ ଜିତି ରହିବ।

