ନ୍ୟୁଜ ଡେକ୍ସ : ଆଜି ପୂର୍ବାହ୍ନ ୧୧ଟାରେ ପୁରୀସ୍ଥିତ ଶ୍ରୀମନ୍ଦିରର ରତ୍ନଭଣ୍ଡାର ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ପ୍ରଥମେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ଏବଂ ତାପରେ ଅପରାହ୍ନ ୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରତ୍ନ ଅଳଙ୍କାର ଗଣତି ଓ ପରିଚାଳନା ସମ୍ପର୍କିତ ଏସଓପିର ସମୀକ୍ଷା କରିବେ।ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିବା ରତ୍ନଭଣ୍ଡାରର ଗଣତି, ମଣତି ଓ ସୁରକ୍ଷା ବ୍ୟବସ୍ଥା ସହିତ କେବେ ଓ କେମିତି ପରିଚାଳନା ହେବ, ସେସବୁ ନୀତି ଏହି ଏସଓପିରେ ସ୍ପଷ୍ଟ ଭାବେ ଥିବା କୁହାଯାଇଛି।
ସମୀକ୍ଷା ପରେ ଏହାକୁ ଚୂଡ଼ାନ୍ତ ଆକାର ଦିଆଯିବ।ଏହା ସହ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ମଧ୍ୟ ବସିବ। ଆଇନ ମନ୍ତ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି ଯେ ଏସଓପି ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ସମସ୍ତ ନିଷ୍ପତ୍ତି ସାର୍ବଜନୀନ ହେବ। ଅନ୍ୟପଟେ ୨୦୨୬–୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏକାମ୍ର ହେରିଟେଜ୍ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ସରକାର ଲକ୍ଷ୍ୟ ଧରିଛନ୍ତି। ପ୍ରକଳ୍ପ ଅନ୍ତର୍ଗତ ଏକ ନୂଆ ବ୍ୟାଖ୍ୟାନ କେନ୍ଦ୍ର ପାର୍କିଂ ସେଣ୍ଟର ପଛ ପାର୍ଶ୍ୱରେ ନିର୍ମାଣ ହେବ ଏବଂ ସେଠାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନା କରାଯିବ।ସେହିପରି ବିନ୍ଦୁସାଗରକୁ ଏକ ସୁନ୍ଦର ଐତିହ୍ୟ ହ୍ରଦ ଭାବେ ବିକାଶ କରାଯିବ।
ଏହି ଦୁଇଟି ନୂଆ ପ୍ରକଳ୍ପ ଯୋଡ଼ା ହେବାରୁ ବଜେଟ କିଛିଟା ବଢ଼ିବ, କିନ୍ତୁ ଅର୍ଥାଭାବ ହେବ ନାହିଁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ପୁରୁଣା ଏଜେନ୍ସି କାମ କରିବାକୁ ଅସ୍ୱୀକାର କରିଥିବାରୁ ଏହି କାମ ନୂଆ ଏଜେନ୍ସିକୁ ଦିଆଯିବ।ଏହାକୁ ନେଇ ବିରୋଧୀ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ଆସିଛି। ଶ୍ରୀ ପଣ୍ଡା କହିଛନ୍ତି ଯେ ନବୀନ ପଟ୍ଟନାୟକ ସରକାର ସମୟରେ ଶ୍ରୀକ୍ଷେତ୍ର ଓ ଲିଙ୍ଗରାଜ ମନ୍ଦିର ପାଇଁ ବ୍ୟାଖ୍ୟାନ କେନ୍ଦ୍ର ଓ ବିନ୍ଦୁସାଗର ଉନ୍ନତିକରଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା, ତେଣୁ ଆଇନ ମନ୍ତ୍ରୀଙ୍କ ବୟାନ ତଥ୍ୟସମ୍ମତ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି।

