ନ୍ୟୁଜ ଡେକ୍ସ: କାଳବୈଶାଖୀ ପ୍ରଭାବରେ ଆସନ୍ତା ୫ ତାରିଖ ଯାଏ ବର୍ଷା ହେବ । ୩ ତାରିଖ ଯାଏ ବର୍ଷାର ଅଧିକ ସମ୍ଭାବନା ଅଛି । ୪ ଓ ୫ ତାରିଖରେ ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।
ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ବୁଧବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଆଶଙ୍କା ଅଛି । ଆଜି ସମସ୍ତ ସହରର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିବା ସହ ଝାରସୁଗୁଡ଼ାର ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୮ ଡିଗ୍ରି ରହିଥିଲା । କେନ୍ଦୁଝରରେ ସର୍ବାଧିକ ୩୧.୨ ମିମି ବର୍ଷା ହୋଇଛି । ଅନ୍ୟପଟେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ ଏବଂ ଢେଙ୍କାନାଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ । କିଛି ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି ।
ଏସବୁ ଜିଲ୍ଲାଗୁଡ଼ିକୁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨ ଓ ୩ ତାରିଖରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହିତ ବର୍ଷା ଓ ପବନ ହେବ । ଆସନ୍ତା ୪ ଦିନ ଦିନ ତାପମାତ୍ରା ଅପେକ୍ଷାକୃତ କମ୍ ରହିବ । ପରେ ତାତି ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମଙ୍ଗଳବାର କେନ୍ଦୁଝରରେ ୩୧.୨ମିମି ବର୍ଷା ହୋଇଛି । ଅନୁଗୁଳ, କେନ୍ଦୁଝର, ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାରେ କୁଆପଥର ସହ ବର୍ଷା ହୋଇଛି।
