Sun. Feb 22nd, 2026

ନ୍ୟୁଜ ଡେକ୍ସ : କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଦ୍ୱାରା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ପ୍ରଶଂସା କରାଯାଇବାକୁ ନେଇ ରାଜନୈତିକ ପରିବେଶ ଗରମ ହୋଇଯାଇଛି। ଥରୁରଙ୍କ ବୟାନ କଂଗ୍ରେସ ଶିବିର ଭିତରେ ନୂତନ ବିତର୍କ ସୃଷ୍ଟି କରିଥିବାବେଳେ, ବିଜେପି ତାଙ୍କୁ ସମର୍ଥନ ଜଣାଇ କଂଗ୍ରେସ ଉପରେ ଆକ୍ରମଣ ଜାରି ରଖିଛି। ଥରୁରଙ୍କ ବୟାନକୁ ସମାଲୋଚନା କରି କଂଗ୍ରେସ ମୁଖପାତ୍ର ପବନ ଖେଡା କହିଛନ୍ତି ଯେ ଦଳ ତାଙ୍କ ମତାମତରୁ ସମ୍ପୂର୍ଣ୍ଣ ଦୂରେଇ ରହିଛି।

ଖେଡାଙ୍କ ପ୍ରତିକ୍ରିୟା ସୂଚାଇ ଦେଇଛି ଯେ ଥରୁରଙ୍କ ବ୍ୟକ୍ତିଗତ ମତାମତକୁ କଂଗ୍ରେସ ଦଳର ଅଧିକାରିକ ବିବୃତ୍ତି ଭାବରେ ବିବେଚନା କରାଯିବ ନାହିଁ। ଅନ୍ୟପଟେ ବିଜେପି ପକ୍ଷରୁ କଂଗ୍ରେସକୁ କଟାକ୍ଷ କରି କୁହାଯାଇଛି ଯେ, କଂଗ୍ରେସ ତାର ନାଁ ବଦଳାଇ ‘ଇନ୍ଦିରା ନାଜି କଂଗ୍ରେସ’ କରି ନେବା ଉଚିତ୍‌, କାରଣ ଜରୁରୀକାଳୀନ ମାନସିକତା ଓ ନାଜି ବ୍ୟବହାର ହିଁ ତାଙ୍କର ପ୍ରକୃତ ଷ୍ଟାଇଲ୍‌।ଏହି ବୟାନ ପରେ ଥରୁରଙ୍କ ନିଜ ପାର୍ଟି କଂଗ୍ରେସ ତାଙ୍କ ଠାରୁ ଦୂରେଇଯାଇଛି। କଂଗ୍ରେସ ମୁଖପାତ୍ର ପବନ ଖେଡା ସ୍ପଷ୍ଟ କରି କହିଛନ୍ତି ଯେ, “ଦଳ ଥରୁରଙ୍କ ବ୍ୟକ୍ତିଗତ ମତାମତ ସହିତ ସମ୍ମତ ନୁହେଁ।

ସେ ତାଙ୍କ ନିଜ ଭାବନା ବ୍ୟକ୍ତ କରିଛନ୍ତି, ଏହା କଂଗ୍ରେସର ଅଧିକାରିକ ମତ ନୁହେଁ।” ତେବେ ସେ ଏହିଥିରେ ଯୋଗ କରିଥିଲେ ଯେ, “କଂଗ୍ରେସ ଏକ ଗଣତାନ୍ତ୍ରିକ ଦଳ, ଯେଉଁଠି ନେତାମାନେ ନିଜ ମତ ରଖିପାରନ୍ତି। ଏହା ଆମ ଦଳର ଉଦାର ଓ ଗଣତାନ୍ତ୍ରିକ ଚିନ୍ତାଧାରାର ପ୍ରତିକ।”ଅନ୍ୟପଟେ, ବିଜେପି ଏହି ଘଟଣାକୁ ଆଶ୍ରୟ କରି କଂଗ୍ରେସ ଉପରେ ଆକ୍ରମଣ କରିଛି। ବିଜେପି ନେତା ତେହସିନ ପୁନାୱାଲା ମଧ୍ୟ କଂଗ୍ରେସକୁ ଅସହିଷ୍ଣୁ ଭାବରେ ଆଳୋଚନା କରି କହିଛନ୍ତି, “କଂଗ୍ରେସ ଥରୁରଙ୍କ ଉପରେ ଫତୱା ଜାରି କରିଦେଇଛି। ସେମାନଙ୍କ ପାଇଁ ଯେକେହି ମତଭେଦ ରଖିଲେ ଶତ୍ରୁ ଭଳି ହୋଇଯାନ୍ତି।”

ବିଜେପି ପକ୍ଷରୁ ଆଉ ମଧ୍ୟ ତୀକ୍ଷ୍ଣ କଟାକ୍ଷ ଆସିଛି। ସେମାନେ କଂଗ୍ରେସକୁ ‘ଇନ୍ଦିରା ନାଜି କଂଗ୍ରେସ’ ନାମ ଦେଇ କହିଛନ୍ତି ଯେ, ଜରୁରୀକାଳୀନ ମାନସିକତା ଓ ନାଜି ପ୍ରବୃତ୍ତି ହିଁ କଂଗ୍ରେସର ଚରିତ୍ରକୁ ଦର୍ଶାଉଛି। ରାଜନୈତିକ ମଞ୍ଚରେ ଏହି ବିବାଦ ନେଇ ଚର୍ଚ୍ଚା ଚାଲିଛି। ଏକ ପଟେ ଥରୁରଙ୍କ ଶିଷ୍ଟାଚାର ଓ ସମ୍ମାନପୂର୍ଣ୍ଣ ଭାବନାକୁ କେହି ସମର୍ଥନ କରୁଛନ୍ତି, ଅନ୍ୟପଟେ ତାଙ୍କ ନିଜ ପାର୍ଟି ମଧ୍ୟ ସତର୍କ ଅବସ୍ଥାନ ନେଇଛି।

Leave a Reply

Your email address will not be published. Required fields are marked *