Sat. Feb 21st, 2026

ନ୍ୟୁଜ ଡେକ୍ସ : ଓଇଆରସି (OERC) ନିର୍ଦ୍ଦେଶରେ ଟାଟା ପାୱାର ଆଡିଶନାଲ ସିକ୍ୟୁରିଟି ଡିପୋଜିଟ ମନି ସଂଗ୍ରହ କରୁଥିବା ଅଭିଯୋଗ ଆଣିଛି କଂଗ୍ରେସ। ଆଜି ଓଇଆରସିର ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା କରିବା ପରେ କଂଗ୍ରେସ ନେତାମାନେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି।ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଦାସ, ପୂର୍ବ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ପଞ୍ଚାନନ କାନୁନଗୋ ଉପସ୍ଥିତ ଥିଲେ।

ଆଡିଶନାଲ ସିକ୍ୟୁରିଟି ଡିପୋଜିଟ ମନି ସଂଗ୍ରହକୁ ନେଇ ରାଜ୍ୟ ସରକାର ଉପରେ ସିଧାସଳଖ ଆକ୍ରମଣ କରିଥିଲେ ପିସିସି ସଭାପତି ଭକ୍ତ ଦାସ।ଭକ୍ତ ଦାସ କହିଛନ୍ତି, ସିକ୍ୟୁରିଟି ଡିପୋଜିଟ ମନି ଆଦାୟ ବନ୍ଦ କରାଯାଉ, ସ୍ମାର୍ଟ ମିଟର ନାମରେ ହେଉଥିବା ଆଦାୟ ମଧ୍ୟ ତୁରନ୍ତ ବନ୍ଦ ହେଉ ଏବଂ ସାଧାରଣ ଲୋକଙ୍କୁ ମାଗଣା ବିଜୁଳି ପ୍ରଦାନ କରାଯାଉ। ପଞ୍ଜାବ, ଦିଲ୍ଲୀ ଭଳି ରାଜ୍ୟରେ ଲୋକଙ୍କୁ ୩ଶହ ୟୁନିଟ ବିଜୁଳି ମାଗଣା ଦିଆଯାଉଥିବା ବେଳେ ଓଡ଼ିଶାରେ କାହିଁକି ଏହା ସମ୍ଭବ ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ କୋଟିଏ ୨୫ ଲକ୍ଷ ଲୋକଙ୍କ ଦୁଃଖ ଦୂର କରିବା ସରକାରଙ୍କ ପାଇଁ କଠିନ ନୁହେଁ। ଶିଳ୍ପପତିଙ୍କୁ ସବସିଡି ଦିଆଯାଉଥିବା ବେଳେ କୃଷି ଭିତ୍ତିକ ଶିଳ୍ପ, ହ୍ୟାଣ୍ଡଲୁମ୍ ଓ କୁଟୀର ଶିଳ୍ପକୁ ସରକାର କାହିଁକି ପ୍ରୋତ୍ସାହନ ଦେଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଓଡ଼ିଶାରେ କୋଇଲା ଉତ୍ପାଦନ ହେଉଛି, ବିଜୁଳି ଉତ୍ପାଦନ ମଧ୍ୟ ରାଜ୍ୟରେ ହେଉଛି, ତେବେ ସାଧାରଣ ଲୋକ ଓ ଚାଷୀଙ୍କୁ ମାଗଣା ବିଜୁଳି ଦେବାରେ ଅସୁବିଧା କେଉଁଠି ରହିଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ବିଜେପି ନିର୍ବାଚନ ପୂର୍ବରୁ ୩ଶହ ୟୁନିଟ ବିଜୁଳି ମାଗଣା ଦେବା ପ୍ରତିଶ୍ରୁତି ଦେଇଥିଲା, ତେଣୁ ଏବେ ସେହି ପ୍ରତିଶ୍ରୁତି ପୂରଣ କରାଯାଉ ବୋଲି ଦାବି କରିଛି କଂଗ୍ରେସ।ଦାବି ପୂରଣ ନହେଲେ ଆସନ୍ତା ୨୯ ତାରିଖରେ ପ୍ରତ୍ୟେକ ବ୍ଲକ ଓ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ପିସିସି ସଭାପତି ଭକ୍ତ ଦାସ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *