Sat. Feb 21st, 2026

ନ୍ୟୁଜ ଡେକ୍ସ: ସମ୍ବଲପୁର ଟକଟକ୍ ହୋଇ ଫୁଟିଥିଲା । ତତଲା କଡ଼େଇରେ ଭାଜିଲା ଭଳି କଲବଲ କରିଥିଲା ତାତି । ଖାଲି ସମ୍ବଲପୁର ନୁହେଁ, ୧୬ ସହରରେ ଅସମ୍ଭାଳ ତାତି ଅନୁଭୂତ ହୋଇଥିଲା । ୪୦ ଡିଗ୍ରୀ ଡେଇଁ ଯାଇଥିଲା । ଆର୍ଦ୍ରତା ଅଧିକ ଥିବାରୁ ଭୁବନେଶ୍ୱରରେ ୬୦ ଡିଗ୍ରୀ ଭଳି ତାତି( ରିଅଲ ଫିଲ୍) ଅନୁଭୂତ ହୋଇଥିଲା । ୧୬ ତାରିଖ ଯାଏ ଏଭଳି ଅସମ୍ଭାଳ ତାତିରୁ ନିସ୍ତାର ମିଳିବା ଆଶା ନାହିଁ ।

ପାଣିପାଗ ବିଭାଗ ଜଣାଇଛି ଯେ, ନିକୋବର ଦ୍ୱୀପପୁଞ୍ଜରେ ଗତ ୨୪ ଘଣ୍ଟା ମଧ୍ୟରେ ବିସ୍ତୃତ ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଏହି ଅଞ୍ଚଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଜାରି ରହିବ ବୋଲି ଆକଳନ କରାଯାଇଛି। ଏହା ମୌସୁମୀର ଆଗମନ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଛି।ମୌସୁମୀର ଏହି ଆରମ୍ଭ ଭାରତୀୟ ଉପମହାଦେଶରେ ଋତୁର ଅଗ୍ରଗତିର ଏକ ଗୁରୁତ୍ୱପୂର୍ଣ୍ଣ ସଂକେତ। ଆଣ୍ଡାମାନରେ ମୌସୁମୀର ଆଗମନ ସାଧାରଣତଃ କେରଳ ଆଡ଼କୁ ତା’ର ଯାତ୍ରାର ପଥ ପ୍ରଶସ୍ତ କରେ, ଯାହା ସାଧାରଣତଃ ମେ ଶେଷ ବା ଜୁନ ପ୍ରଥମ ସପ୍ତାହରେ ଘଟିଥାଏ।

ଆଇଏମଡି ଅନୁମାନ କରୁଛି ଯେ, ମୌସୁମୀ ମେ ୨୫ ସୁଦ୍ଧା କେରଳ ଉପକୂଳରେ ପହଞ୍ଚିପାରେ, ଯାହା ନିର୍ଦ୍ଧାରିତ ସମୟ ଜୁନ ୧ ତୁଳନାରେ ଆଗୁଆ ହେବ।ଏହାସହ, ପାଣିପାଗ ବିଭାଗ ସୂଚନା ଦେଇଛି ଯେ ଆଣ୍ଡାମାନ ସାଗରରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ଆଗାମୀ ୧୦ ଦିନ ମଧ୍ୟରେ ଏକ ଡିପ୍ରେସନରେ ପରିଣତ ହୋଇପାରେ। ଏହା ମୌସୁମୀର ଅଗ୍ରଗତିକୁ ଆହୁରି ତ୍ୱରାନ୍ୱିତ କରିପାରେ।

Leave a Reply

Your email address will not be published. Required fields are marked *