ନ୍ୟୁଜ ଡେକ୍ସ: ଆଜିଠୁ ଆଦିବାସୀଙ୍କ ପ୍ରସିଦ୍ଧ ଶୁଳିଆ ଯାତ୍ରା ଆରମ୍ଭ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକର କୁଳୁ୍ତାପଡ଼ା ପଞ୍ଚାୟତ ଅନ୍ତର୍ଗତ ଖଇରଗୁଡ଼ା ଓ କୁମୁରିଆ ବଡ଼ଖଳା ଓ ସାନଖଳା। ରୀତିନୀତି ଅନୁସାରେ ଶୁଳିଆ ଦେବତାଙ୍କୁ ହେବ ପୂଜାର୍ଚ୍ଚନା । ଏଥିସହ ଦେହୁରୀମାନେ ଶିଆଳପତ୍ରର ବସ୍ତ୍ର ପରିଧାନ କରି ପାରମ୍ପରିକ ବାଦ୍ୟର ତାଳେ ତାଳେ ଅସ୍ତ୍ର ଶସ୍ତ୍ର ଧରି ନୃତ୍ୟ କରିବାର ରହିଛି ପରମ୍ପରା । ବଲାଙ୍ଗୀରର ଜିଲ୍ଲା ଦେଓଗାଁ ବ୍ଲକର ଖଇରଗୁରା ଓ କୁମୁରିଆ ଗାଁରେ ଆଦିବାସୀଙ୍କ ଶୁଳିଆ ଯାତ୍ରା ପାଳିତ ହେଉଛି।
ତେବେ ଏହି ଯାତ୍ରାରେ ରକ୍ତରଞ୍ଜିତ ହୋଇଛି ବଡ଼ଖଳା ଓ ସାନ ଖଳା ଗାଁ । ପଶୁପକ୍ଷୀଙ୍କ ବଳିରେ ରକ୍ତାକ୍ତ ହୋଇଛି ଗାଁ ରାସ୍ତା । ବ୍ୟାପକ ପୁଲିସ ମୁତୟନ ଥିଲେ ବି ହଜାର ହଜାର ପଶୁପକ୍ଷୀମାନଙ୍କୁ ବଳି ଦିଆଯାଇଛି। ଖଇରଗୁରା ଓ କୁମୁରିଆରେ ମଙ୍ଗଳବାର ରୀତିନୀତି ଅନୁସାରେ ପାଟବୋଦା ବଳି ଦେବା ପରେ ଭକ୍ତମାନେ ଆଣିଥିବା କୁକୁଡ଼ା, ପାରା, ବୋଦା, ମେଣ୍ଢା ଓ ପୋଢ଼ ବଳି ପଡ଼ିଛି। ଆଜି ଭୋରରୁ ମୁଖ୍ୟ ପୂଜକ ଓ ଦେହୁରୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୀଠରେ ପହଞ୍ଚିଥିଲେ । ପୀଠରେ ନିଶିପୂଜା ପରେ ପୂଜାର୍ଚ୍ଚନା କରାଯାଇଥାଏ । ତାପରେ ପ୍ରଥମେ କୁକୁଡ଼ା ବଳି ଦେଇ ଶୁଳିଆ ବୁଢାକୁ ଭୋଗ ଅର୍ପଣ କରାଯାଇଥିଲା । ମାନସିକଧାରୀ ମାନେ ଆଣିଥିବା ପୋଢ଼, ବୋଦା, ମେଣ୍ଢା, କୁକୁଡ଼ା, ବତକ ଶହ ଶହ ସଂଖ୍ୟାରେ ବଳି ଦେଇଥିଲେ । ପଶୁପକ୍ଷୀଙ୍କ ରକ୍ତରେ ଖଇରଗୁଡ଼ାର ବଡ଼ଖଳା ଓ କୁମୁରିଆର ସାନଖଳା ରକ୍ତରଞ୍ଜିତ ହୋଇଥିଲା । ଏହା ସହ ଜିଲ୍ଲା ବାହାରର କନ୍ଧ ନେତୃ ମଣ୍ଡଳୀ ଯୋଗଦେଇଥିବା ବେଳେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, ସୁରେନ୍ଦ୍ର ସିଂ ଭୋଇ, ଅନଙ୍ଗ ଉଦୟ ସିଂ ଦେଓ ଉପସ୍ଥିତ ରହି ଆଶୀର୍ବାଦ ଭିକ୍ଷା କରିଥିଲେ।
ଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ପରିଚାଳନା କରିବା ପାଇଁ ଡି ଏସ ପି ଅଜୟ କୁମାର ତୀର୍କୀ, ସଞ୍ଜୟ ମଣ୍ଡଳ , ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆଲୋକ ଜେନା,ଗୁଣନିଧି ମଲ୍ଲିକ ଏସଡ଼ିପିଓ ପ୍ରଦୀପ କୁମାର ସାହୁ, ଦେଓଗାଁ ଥାନାଧିକାରୀ ବୁଲୁ ମୁଣ୍ଡା, ତୁଷୁରା ଥାନାଧିକାରୀ ମନୋଜ ପ୍ରଧାନ, ମାଜିଷ୍ଟ୍ରେଟ ଭାବେ ଦେଓଗାଁ ତହସିଲଦାର ବିକ୍ରମ କେଶରୀ ନାୟକତୁଷୁରା ତହସିଲଦାର ଆର୍ତ୍ତତ୍ରାଣ ଥାଟିଙ୍କ ସହ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇ ଥିଲେ।
