ନ୍ୟୁଜ ଡେକ୍ସ : ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହୋଇସାରିଛି, କିନ୍ତୁ ଶ୍ରୀମନ୍ଦିର ପ୍ରଶାସନଙ୍କ ପୂର୍ବ ନିଷ୍ପତ୍ତି ମୁତାବକ ଆନନ୍ଦ ବଜାରରେ ମହାପ୍ରସାଦ ଦର ତାଲିକା ଏପର୍ଯ୍ୟନ୍ତ ଲାଗିପାରିନାହିଁ। ଏହି ପରିସ୍ଥିତିରେ ଭକ୍ତମାନେ ନିଜ ଇଚ୍ଛା ଦରରେ ମହାପ୍ରସାଦ କିଣିବାକୁ ବାଧ୍ୟ ହେଉଛନ୍ତି, ଯାହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
କାର୍ତ୍ତିକ ମାସରେ ମହାପ୍ରସାଦ ଚାହିଦା ବେଶି ଥିବା ସମୟରେ ଦର ତାଲିକା ନ ଥିବାରୁ ବେପାରୀମାନେ ମନ ଇଚ୍ଛା ଦରରେ ବିକ୍ରି କରୁଛନ୍ତି। ସାଧାରଣ ଦିନରେ ଯେଉଁଠାରେ ଭକ୍ତମାନେ ୧୦୦ରୁ ୧୫୦ ଟଙ୍କାରେ ମହାପ୍ରସାଦ ଥାଳି କିଣୁଥିଲେ, କାର୍ତ୍ତିକ ମାସରେ ସେହି ଦର ୨୦୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି ବୋଲି ଅଭିଯୋଗ ଆସିଛି। ଏହା ଫଳରେ ଗରିବ ଓ ମଧ୍ୟମ ଶ୍ରେଣୀର ଭକ୍ତମାନେ ନିଜ ଆବଶ୍ୟକ ମୁତାବକ ମହାପ୍ରସାଦ ସେବନ କରିପାରୁନାହାନ୍ତି।
ଗତ ଅଗଷ୍ଟ ମାସରେ ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ନେଇ ଏକ ବୈଠକ ବସିଥିଲା, ଯେଉଁଠାରେ ମହାପ୍ରସାଦ ଦର ତାଲିକା ଲଗାଇବା ଓ ସୁଆର ସେବକମାନଙ୍କୁ ସ୍ବତନ୍ତ୍ର ପୋଷାକରେ ବିକ୍ରି କରିବା ନେଇ ନିଷ୍ପତ୍ତି ହୋଇଥିଲା। କାର୍ତ୍ତିକ ମାସ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିବା ଯୋଜନା ଥିଲେ ମଧ୍ୟ, ଏପର୍ଯ୍ୟନ୍ତ ଏହା ଲାଗୁ ହୋଇନାହିଁ।ଭକ୍ତମାନେ ମତ ଦେଇଛନ୍ତି ଯେ, ଯଦି ମହାପ୍ରସାଦ ଦର ତାଲିକା ଲାଗିଥାନ୍ତା, ତେବେ ତାଙ୍କୁ ନିର୍ଦ୍ଦିଷ୍ଟ ଦରରେ ମହାପ୍ରସାଦ ମିଳିପାରିଥାନ୍ତା ଓ ଠକାମୀରୁ ରକ୍ଷା ପାଇପାରୁଥାନ୍ତେ। ଏହି ଅବହେଳା ଓ ବିଳମ୍ବ ନେଇ ଭକ୍ତମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
