ନ୍ୟୁଜ ଡେସ୍କ: ଓଡ଼ିଶା ନର୍ସିଂ ଅଧିକାରୀ ସଂଘ ଆଜିଠୁ ପୁଣି ଆନ୍ଦୋଳନ କରିବ। ଦୁଇ ଦିନ ଧରି ଜରୁରୀକାଳୀନ ସେବାକୁ ବାଦ ଦେଇ ଅନ୍ୟ ସବୁ ସେବା ବର୍ଜନ କରିବ ଏବଂ ଏହାପରେ ଯଦି ସରକାର ଦାବି ପୂରଣ ନକରନ୍ତି ୨୭ରୁ ଅନିର୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ ବୋଲି ସଂଘ ପକ୍ଷରୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିବା ନେଇ ସଭାନେତ୍ରୀ ଶୁଚିସ୍ମିତା ଦାସ ଓ ସାଧାରଣ ସମ୍ପାଦକ ଅଶ୍ବିନୀ ଦାସ ସୂଚନା ଦେଇଛନ୍ତି।
ସଂଘ ପକ୍ଷରୁ କୁହାଯାଇଛି ଯେ, ରୋଗୀଙ୍କୁ ଦୃଷ୍ଟିରେ ରଖି ଆଜି ଓ କାଲି ଜରୁରୀ ସେବା ବ୍ୟାହତ କରିବୁନି। ଆଇସିୟୁ, ଓଟି ଓ ଏମର୍ଜେନ୍ସିରେ ସେବା ଯୋଗାଇବୁ। ତେବେ ଏହି ଦୁଇ ଦିନରେ ଆମ ଦାବି ନ ମାନିଲେ ୨୭ ତାରିଖ ଠାରୁ ସଂପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଅଗଷ୍ଟ ୭ ତାରିଖରୁ ରାଜ୍ୟରେ କାର୍ଯ୍ୟରତ ନର୍ସ, ପାରାମେଡିକ୍ସ, ଟେକ୍ନିସିଆନ୍ ଓ ଅନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଏସ୍ମା ଲାଗୁ ହୋଇଛି। ଏହା ୬ମାସ ପାଇଁ ବଳବତ୍ତର ରହିବ। ନିକଟରେ ନର୍ସିଂ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିପତ୍ରରେ ୨୫ ତାରିଖରୁ ଅଣଜରୁରିକାଳୀନ ସେବା ବନ୍ଦ କରିବା ନେଇ ଉଲ୍ଲେଖ କରିଛନ୍ତି।
ତେଣୁ ଆନ୍ଦୋଳନକୁ ଓହ୍ଲାଉଥିବା କର୍ମଚାରୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନର୍ସିଂ ନିର୍ଦ୍ଦେଶାଳୟ ନିର୍ଦେଶ ଦେଇଛି। କେବଳ ସେତିକି ନୁହେଁ, କେଉଁ ନର୍ସିଂ ଅଫିସରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସେମାନଙ୍କ ସଂପର୍କରେ ନିର୍ଦ୍ଦେଶାଳୟକୁ ସୂଚନା ପ୍ରଦାନ କରିବା ଲାଗି କୁହାଯାଇଛି।