Sat. Feb 21st, 2026

ନ୍ୟୁଜ ଡେକ୍ସ : ଆମେରିକାରୁ ଏକ ହୃଦୟବିଦାରକ ଭିଡିଓ ବାର୍ତ୍ତା ଓଡ଼ିଶାରେ ଭାଇରାଲ ହୋଇଛି । ବାଲେଶ୍ୱର ଜିଲ୍ଲାର ଝିଅ ପୂଜା ନାୟକ, ଯିଏକି ଏବେ ସେଜଲ ଜୋହନ (୨୧) ନାମରେ ଜଣାଶୁଣା, ଆମେରିକାରେ ତାଙ୍କ ପାଳିତ ମାଆଙ୍କ ହାତରେ ନିର୍ଯାତନାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ସେ ଏକ ଭିଡିଓ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆକୁଳ ନିବେଦନ କରି ନିଜକୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି।

ସେଜଲ ଜୋହନ ନିଜ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ତାଙ୍କ ପାଳିତ ମାଆ ସୁଜି ଜନ୍ ପ୍ରତିଦିନ ତାଙ୍କୁ ଘରକାମ କରିବାକୁ ବାଧ୍ୟ କରନ୍ତି, ଠିକ୍ ଭାବରେ ଖାଇବା ଓ ଘୁମେଇବାକୁ ମଧ୍ୟ ଦିଅନ୍ତି ନାହିଁ। ପ୍ରତିବାଦ କଲେ ତାଙ୍କୁ ମାଡ଼ ମାରାଯାଉଛି। ଏହିପରି ସେଜଲ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାପ ଦିଆଯାଉଛି, ମନା କଲେ ହତ୍ୟା କରିବାର ଧମକ ମଧ୍ୟ ମିଳୁଛି।ଏହି ଭିଡିଓ ଓଡ଼ିଶାରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ଲୋକମାନେ #BringPujaHome ଅଭିଯାନ ଆରମ୍ଭ କରିଛନ୍ତି, ଯେଉଁଠାରେ ନେଟିଜେନ୍‌ମାନେ ସେଜଲଙ୍କୁ ଓଡ଼ିଶାକୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ଅନୁରୋଧ କରୁଛନ୍ତି।

ସୂଚନା ଅନୁଯାୟୀ, ପୂଜା ନାୟକ ଛୋଟବେଳେ ଟ୍ରେନ୍‌ରେ ନିଜ ମାତାପିତାଠାରୁ ବିଚ୍ଛିନ୍ନ ହୋଇଯାଇଥିଲେ। ପରେ ଚାଇଲ୍ଡ ଲାଇନ୍ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ନୀଳଗିରିରେ, ପରେ ଭୁବନେଶ୍ୱର ନହରକଣ୍ଟାସ୍ଥିତ କନ୍ୟାଶ୍ରମରେ ରଖାଯାଇଥିଲା।୨୦୧୮ ମସିହାରେ ତାଙ୍କୁ ଏକ ଆମେରିକୀୟ ଦମ୍ପତି ପୋଷ୍ୟକନ୍ୟା ଭାବେ ଗ୍ରହଣ କରି ନେଇଯାଇଥିଲେ ଏବଂ ସେଠାକୁ ଯିବା ପରେ ତାଙ୍କ ନାମ “ପୂଜା ନାୟକ” ରୁ “ସେଜଲ ଜୋହନ” କରାଯାଇଥିଲା।୨୦୨୪ ମସିହାରେ ବାଲେଶ୍ୱର ନିକଟସ୍ଥ ଆଳଦା ଅଞ୍ଚଳର ଅମର ଦାସ ନାମକ ଜଣେ ଯୁବକଙ୍କ ସହ ତାଙ୍କ ଫେସ୍‌ବୁକ୍‌ ମାଧ୍ୟମରେ ପରିଚୟ ହୋଇଥିଲା।

ପରେ ସେଜଲ ତାଙ୍କୁ ମେସେଜ୍‌ ଦେଇ ନିଜ ସମସ୍ତ କଷ୍ଟ ଓ ନିର୍ଯାତନା ବିଷୟରେ କହିଥିଲେ। ସେ ଇଂରାଜୀ ଓ ଓଡ଼ିଆ ଭାଷାରେ ଦୁଇଟି ଭିଡିଓ ବାର୍ତ୍ତା ଅମରଙ୍କୁ ପଠାଇଥିଲେ।ଏପର୍ଯ୍ୟନ୍ତ ଓଡ଼ିଶା ସରକାର କିମ୍ବା ବିଦେଶ ବିଭାଗ ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ। କିନ୍ତୁ ସାଧାରଣ ଲୋକ ଓ ନେଟିଜେନ୍‌ମାନେ ଏହି ମାମଲାରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରୁଛନ୍ତି ଏବଂ ସେଜଲଙ୍କୁ ଦେଶକୁ ଫେରାଇ ଆଣିବାକୁ ଅନୁରୋଧ କରୁଛନ୍ତି।

Leave a Reply

Your email address will not be published. Required fields are marked *