ନ୍ୟୁଜ ଡେକ୍ସ: ଆମେରିକାର ୪୭ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରାଷ୍ଟ୍ରପତି ନିର୍ବାଚନ ରେସ୍ରେ ଡୋନାଲ୍ଡ ଟ୍ରମ୍ପ ବାଜି ମାରିଥିବା ବେଳେ ହ୍ୱାଇଟ୍ ହାଉସ୍ ଲଢ଼େଇରେ ଜିତିଛନ୍ତି ଟ୍ରମ୍ପ। ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଲା ହାରିସ ଏବଂ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ ଟକ୍କର ଚାଲିଛି। ଆମେରିକାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଧୀରେ ଧୀରେ ସାମ୍ନାକୁ ଆସିଲାଣି।
ଡୋନାଲ୍ଡ ଆମେରିକାର ୪୭ତମ ରାଷ୍ଟ୍ରପତି ହୋଇଛନ୍ତି ବୋଲି ୟୁଏସ୍ ମିଡିଆ ବଡ଼ ଦାବି କରିଛି।ସେପଟେ ବିଜୟ ପରେ ନିଜ ସମର୍ଥକଙ୍କ ପାଖରେ ପହଞ୍ଚିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଏହା ହେଉଛି ଇତିହାସର ସବୁଠାରୁ ବଡ଼ ରାଜନୈତିକ ମୁହୂର୍ତ୍ତ। ଆମେ ଭୋଟରଙ୍କ ପାଇଁ ସବୁକିଛି ଠିକ୍ କରିବାକୁ ଯାଉଛୁ। ଏହା ଏକ ରାଜନୈତିକ ବିଜୟ। ଏଭଳି ବିଜୟ ଆମେରିକା କେବେ ଦେଖି ନାହିଁ। ୪୭ ତମ ରାଷ୍ଟ୍ରପତି ଭାବରେ ମୁଁ ପ୍ରତିଦିନ ଆପଣଙ୍କ ପାଇଁ ଲଢ଼ିବି। ଆମେରିକା ପାଇଁ ଏହା ଏକ ବଡ଼ ବିଜୟ, ଯାହା ଆମେରିକାକୁ ପୁଣି ମହାନ କରିବ।’ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ସ୍ୱିଙ୍ଗ୍ ଷ୍ଟେଟ୍ ତଥା ବ୍ୟାଟେଲ ଗ୍ରାଉଣ୍ଡ ଷ୍ଟେଟ୍ରେ କମାଲ୍ କରିଛନ୍ତି।
ସେ ଉତ୍ତର କାରୋଲିନା ଏବଂ ଜର୍ଜିଆରେ ବଡ଼ ବିଜୟ ହାସଲ କରିଛନ୍ତି। ଏଥିସହିତ ଅନ୍ୟ ୫ ସ୍ୱିଙ୍ଗ ଷ୍ଟେଟ୍ ଆରିଜୋନା, ମିଶିଗାନ୍, ନେଭାଦା, ପେନସିଲଭାନିଆ ଏବଂ ୱିସ୍କନ୍ସିନରେ ମଧ୍ୟ ନିଜ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସ୍ଙ୍କ ଠାରୁ ବହୁତ ଆଗରେ ଅଛନ୍ତି। ଚଳିତ ନିର୍ବାଚନରେ ଟ୍ରମ୍ପ ଯଦି କମ୍ବ୍ୟାକ୍ କରନ୍ତି ତେବେ ଭାରତ ପାଇଁ କ’ଣ ଫାଇଦା ହେବ । ଏହାକୁ ନେଇ ଦକ୍ଷିଣ ଏସିଆ ଦେଶରେ ଚର୍ଚ୍ଚା ଚାଲିଛି ।
ପ୍ରତିବର୍ଷ ଭାରତରୁ ବହୁ ସଂଖ୍ୟକ ଲୋକ କାମ କରିବାକୁ ଆମେରିକା ଯାଆନ୍ତି। ଭାରତୀୟ ପ୍ରଫେସନାଲ ଏବଂ ଆଇଟି କମ୍ପାନୀମାନେ ମଧ୍ୟ H1B ଭିଜା ଉପରେ କାମ କରନ୍ତି। ଏଭଳି ପରିସ୍ଥିତିରେ ଯଦି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଗଠନ ହୁଏ, ତେବେ ଏହି ଲୋକଙ୍କୁ ହୁଏତ ବହୁ କ୍ଷତି ସହିବାକୁ ପଡିପାରେ, କାରଣ ସେମାନେ ଏହି ଭିଜା ନୀତିକୁ ଆରମ୍ଭରୁ ବିରୋଧ କରିଆସୁଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ନିର୍ବାଚନ ପ୍ରଚାରର ଏକ ପ୍ରମୁଖ ଅଂଶ ଭିଜା ନୀତି ସମ୍ବନ୍ଧରେ ଥିଲା।