ନ୍ୟୁଜ ଡେକ୍ସ : ଆମ ବସ୍ ଦୁର୍ଘଟଣାକୁ ରୋକିବା ଓ ସଡ଼କ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ପରିବହନ ବିଭାଗ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏଣିକି ଥାର୍ଡ ପାର୍ଟି ଅଧିନରେ ହେବାକୁ ଥିବା ସ୍କ୍ରିନିଂ ଟେଷ୍ଟ ପାସ୍ କଲେ ଯାଇ ଆମ ବସ୍ ଚଳାଇବାକୁ ଡ୍ରାଇଭରମାନେ ଅନୁମତି ପାଇବେ। ଏହି ସୂଚନା ଆଜି ଏକ ଉଚ୍ଚସ୍ତରୀୟ ବୈଠକ ପରେ ପରିବହନ ସଚିବ ଉଷା ପାଢ଼ୀ ଦେଇଛନ୍ତି।ଆମ ବସ୍ ଦୁର୍ଘଟଣା ରୋକିବା ନେଇ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।
ଏହି କମିଟିରେ ପରିବହନ କମିଶନର, ଡିସିପି, ଟ୍ରାଫିକ ଡିସିପି ଓ କ୍ରୁଟର ବରିଷ୍ଠ ଅଧିକାରୀମାନେ ସଦସ୍ୟ ଭାବେ ଅଛନ୍ତି। ପ୍ରତି ମାସକୁ ଥରେ କମିଟି ଆମ ବସ୍ ସେବା ଓ ସଡ଼କ ସୁରକ୍ଷାକୁ ନେଇ ସମୀକ୍ଷା କରିବ ବୋଲି ସଚିବ ସୂଚନା ଦେଇଛନ୍ତି।ବୈଠକ ପରେ ସଚିବ କହିଛନ୍ତି ଯେ, ରୋଡ ସେଫ୍ଟି ପାଇଁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ କମାଣ୍ଡ ସିଷ୍ଟମ କାର୍ଯ୍ୟକାରୀ କରାଯାଇଛି। ସ୍ମାର୍ଟ ସିଟି ଅଫିସ୍ କିମ୍ବା କ୍ରୁଟ ଅଫିସ୍ରେ ଏହାର ତଦାରଖ କରାଯିବ। ଯଦି କୌଣସି ଆମ ବସ୍ ଟ୍ରାଫିକ ନିୟମ ଉଲ୍ଲଂଘନ କରେ, ତେବେ ତୁରନ୍ତ ଇ-ଚାଲାଣ କଟାଯିବ। ସମଗ୍ର ବ୍ୟବସ୍ଥାର ନିରୀକ୍ଷଣ ପାଇଁ ୫ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।
ଲେନ୍ ଡ୍ରାଇଭ୍କୁ ନେଇ ପରିବହନ ବିଭାଗ ବିଶେଷ ଗୁରୁତ୍ୱ ଦେଉଛି। ଆଗାମୀ ଏକ ମାସ ଧରି ଏହାର ଅନୁଧ୍ୟାନ କରାଯିବ। ଯେଉଁ ଡ୍ରାଇଭରମାନେ ଅଧିକ ସଚେତନ ଓ ନିୟମିତ ଭାବେ ଟ୍ରାଫିକ ନିୟମ ପାଳନ କରିବେ, ସେମାନଙ୍କୁ ଇନସେନଟିଭ ଦିଆଯିବ। ଟ୍ରାଫିକ ନିୟମ ଭଙ୍ଗ କଲେ ସମ୍ପୃକ୍ତ ବସ୍ ନାମରେ ଚାଲାଣ କଟାଯିବ।ଏହା ସହ ଡ୍ରାଇଭର ନିଯୁକ୍ତି ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରାଯିବ। ନୂତନ ଭାବେ ନିଯୁକ୍ତ ଡ୍ରାଇଭରମାନଙ୍କୁ କଠୋର ତାଲିମ ଦିଆଯିବ।
ପାଞ୍ଚ ଦିନିଆ ବାଧ୍ୟତାମୂଳକ ମୂଲ୍ୟାଙ୍କନ ଓ ପରୀକ୍ଷାରେ ସେମାନଙ୍କ ଡ୍ରାଇଭିଂ ଦକ୍ଷତା, ସଡ଼କ ସୁରକ୍ଷା ସଚେତନତା, ଲେନ୍ ଶୃଙ୍ଖଳା ଓ ଆଚରଣଗତ ମାନଦଣ୍ଡ ଯାଞ୍ଚ କରାଯିବ।ଗତକାଲିର ଦୁର୍ଘଟଣାକୁ ‘ଗମ୍ଭୀର ଓ ଦୁର୍ଭାଗ୍ୟଜନକ’ ବୋଲି କହି ସଚିବ ଉଷା ପାଢ଼ୀ କହିଛନ୍ତି ଯେ, ଭବିଷ୍ୟତରେ ଏପରି ଘଟଣା ଯେନା ଆଉ ଘଟିବ ନାହିଁ, ସେଥିପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯିବ ଓ ସୁରକ୍ଷା ନିୟମର କଡ଼ା ଅନୁପାଳନ ସୁନିଶ୍ଚିତ କରାଯିବ।

