Sun. Feb 22nd, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ସରକାରଙ୍କ ଲୋକପ୍ରିୟ ସାର୍ବଜନୀନ ପରିବହନ ପ୍ରକଳ୍ପ ‘ଆମ ବସ୍’ ସେବାକୁ ସମ୍ପୂର୍ଣ୍ଣ ଭାବେ ପରିବେଶ-ମିତ୍ର କରିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ‘ଆମ ବସ୍’ ଅଧୀନରେ ଚଳାଚଳ କରୁଥିବା ସମସ୍ତ ଡିଜେଲ ଚାଳିତ ବସ୍‌ଗୁଡ଼ିକୁ ପର୍ଯ୍ୟାୟକ୍ରମେ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯିବ ଏବଂ ସେଗୁଡ଼ିକର ସ୍ଥାନରେ ବୈଦ୍ୟୁତିକ ବସ୍ (ଇଭି) ପରିଚାଳନ କରାଯିବ।

ଏହି ସୂଚନା ବୁଧବାର ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ବଢ଼ୁଥିବା ବାୟୁଦୂଷଣ, ଇନ୍ଧନ ଖର୍ଚ୍ଚ ଓ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ ଅତ୍ୟନ୍ତ ଆବଶ୍ୟକ ହୋଇଯାଇଛି।ମନ୍ତ୍ରୀଙ୍କ କହିବା ଅନୁସାରେ, ଆଗାମୀ କିଛି ବର୍ଷ ମଧ୍ୟରେ ଡିଜେଲ ବସ୍‌ଗୁଡ଼ିକୁ ଧୀରେଧୀରେ ସେବାରୁ ହଟାଯିବ ଏବଂ ସେଗୁଡ଼ିକର ସ୍ଥାନରେ ନୂଆ, ଆଧୁନିକ ଏବଂ ପରିବେଶ-ମିତ୍ର ବୈଦ୍ୟୁତିକ ବସ୍‌ଗୁଡ଼ିକୁ ଯୋଗ କରାଯିବ। ଭବିଷ୍ୟତରେ ‘ଆମ ବସ୍’ ନେଟୱାର୍କ ସମ୍ପୂର୍ଣ୍ଣ ଭାବେ ଇଭି ଆଧାରିତ ହେବ ବୋଲି ସେ ନିଶ୍ଚିତ କରିଛନ୍ତି।

ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ନଗର ଅଞ୍ଚଳରେ ବାୟୁ ଦୂଷଣ କମିବା ସହିତ ଧ୍ୱନି ଦୂଷଣ ମଧ୍ୟ ହ୍ରାସ ପାଇବ। ସେଥିସହିତ ଯାତ୍ରୀମାନେ ଏକ ସୁବିଧାଜନକ, ସୁରକ୍ଷିତ ଓ ଆଧୁନିକ ଯାତାୟାତ ସେବାର ଅନୁଭବ ପାଇବେ।ଏହି ପଦକ୍ଷେପ ଓଡ଼ିଶାକୁ ଦେଶର ଅଗ୍ରଣୀ ‘ଗ୍ରିନ୍ ଟ୍ରାନ୍ସପୋର୍ଟ’ ରାଜ୍ୟମାନଙ୍କ ମଧ୍ୟରେ ନେଇଯିବା ସହିତ ରାଜ୍ୟର ସସ୍ତାୟୀ ଉନ୍ନୟନ ଲକ୍ଷ୍ୟକୁ ମଧ୍ୟ ଶକ୍ତିଶାଳୀ କରିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *