ନ୍ୟୁଜ ଡେକ୍ସ : ଗତକାଲି ଭୁବନେଶ୍ୱର ରୂପାଲି ଛକ ନିକଟରେ ଆମ ବସ ଓ ଅଟୋ ମଧ୍ୟରେ ହୋଇଥିବା ଭୟାବହ ଧକାରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଟୋ ଚାଳକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଏଥିସହ ଦୁର୍ଘଟଣାରେ ଆହତ ହୋଇଥିବା ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
‘ଆମ ବସ’ ପରିବହନ ସେବାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। CRUT ସହିତ ସମନ୍ୱୟ ରଖି ଏହି ସମସ୍ୟାର ସମାଧାନ ଓ ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ପରିବହନ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।ବିଶେଷକରି ଆମ ବସ ଡ୍ରାଇଭରମାନଙ୍କ ଦକ୍ଷତା ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ନିୟମିତ ଟ୍ରେନିଂ ମାଧ୍ୟମରେ ଡ୍ରାଇଭରମାନଙ୍କ ଦକ୍ଷତା ବଢ଼ାଇବା ସହ ସେମାନଙ୍କ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି।
ଡ୍ରାଇଭରମାନଙ୍କ ମଧ୍ୟରେ ସମ୍ବେଦନଶୀଳ ମନୋଭାବ ବିକାଶ ପାଇଁ ବିଶେଷ training module ପ୍ରସ୍ତୁତ କରିବାକୁ ମଧ୍ୟ ସେ କହିଛନ୍ତି। ଏହା ସହ MVI ମାନଙ୍କ ଦ୍ୱାରା ଆମ ବସଗୁଡ଼ିକର ଫିଟନେସ ନିୟମିତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ଏକ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରି ବସ ଫିଟନେସ ଯାଞ୍ଚ କରିବା ସହ ଏପରି ଦୁର୍ଘଟଣା ଯେପରି ପୁନରାବୃତ୍ତି ନ ହୁଏ, ସେଥିପାଇଁ ନିୟମିତ ସମୀକ୍ଷା କରି ଉନ୍ନତିମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

