ନ୍ୟୁଜ ଡେକ୍ସ : ମହାଶିବରାତ୍ରୀ ପବିତ୍ର ଅବସରରେ ଓଡ଼ିଶାର ଧାର୍ମିକ କେନ୍ଦ୍ର ଆରଡିସ୍ଥିତ ବାବା ଆଖଣ୍ଡଳମଣୀ ମନ୍ଦିର ରେ ଆଜି ଭୋର ୪ଟା ୩୦ରେ ମହାଦୀପ ଉତ୍ତୋଳନ କରାଯାଇଥିଲା। ଏହି ପବିତ୍ର ମୁହୂର୍ତ୍ତ ସହିତ ମନ୍ଦିର ପରିବେଶ ହରହର ମହାଦେବ, ଘଣ୍ଟ, ଶଙ୍ଖ ଓ ହୁଳହୁଳିର ନାଦରେ ଗଞ୍ଜିଉଠିଥିଲା। ଲକ୍ଷାଧିକ ଭକ୍ତ ରାତି ସାରା ଉଜାଗର ହୋଇ ବାବାଙ୍କ ମହାଦୀପ ଦର୍ଶନ ପାଇଁ ମନ୍ଦିର ପ୍ରାଙ୍ଗଣରେ ଭିଡ଼ ଜମାଇଥିଲେ।
ମହାଦୀପ ଉତ୍ତୋଳନ ସମୟରେ ଆକାଶ ଦିଗକୁ ଉଠୁଥିବା ଦୀପର ଆଲୋକ ଓ ଧୂପ-ଧୂନିର ଗନ୍ଧ ସହ ପରିବେଶ ଭକ୍ତିମୟ ହୋଇଉଠିଥିଲା। ଭକ୍ତମାନେ ଦୀପ ଜାଳି ବାବାଙ୍କ ନାମରେ ଜୟଘୋଷ କରୁଥିବା ବେଳେ ସାରା ଆରଡି ଗାଁ ଏକ ଆଧ୍ୟାତ୍ମିକ ମହୋତ୍ସବର ରୂପ ନେଇଥିଲା। ଶିବଭକ୍ତମାନେ ମନୋକାମନା ପୂରଣ ପାଇଁ ବାବାଙ୍କ ଚରଣରେ ଦୀପ ଓ ପୁଷ୍ପ ଅର୍ପଣ କରିଥିଲେ। ମହାଦୀପ ପରେ ବାବା ଆଖଣ୍ଡଳମଣୀଙ୍କ ସୁନାବେଶ ଦର୍ଶନ ଭକ୍ତମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ଥିଲା। ସୁନା ଓ ରତ୍ନାଭୂଷିତ ଏହି ବେଶରେ ବାବାଙ୍କ ଦିବ୍ୟ ରୂପ ଦେଖି ଭକ୍ତମାନେ ଭାବବିଭୋର ହୋଇପଡ଼ିଥିଲେ।
ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ଶାନ୍ତି ଓ ସମୃଦ୍ଧି ପାଇଁ ପୂଜା-ଅର୍ଚ୍ଚନା କରିଥିଲେ।ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ପୋଲିସ, ସେବାୟତ ଓ ସ୍ୱେଚ୍ଛାସେବକମାନେ ସକ୍ରିୟ ଥିଲେ। ଭିଡ଼ ନିୟନ୍ତ୍ରଣ, ଦର୍ଶନ ବ୍ୟବସ୍ଥା ଓ ଆପାତକାଳୀନ ସେବାକୁ ଶକ୍ତ କରାଯାଇଥିବାରୁ ଉତ୍ସବ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇପାରିଛି।ମହାଶିବରାତ୍ରୀର ଏହି ପବିତ୍ର ଅବସରରେ ଆରଡିର ବାବା ଆଖଣ୍ଡଳମଣୀ ପୀଠ ପୁଣିଥରେ ଓଡ଼ିଶାର ଆସ୍ଥା ଓ ଶିବଭକ୍ତିର ମହାକେନ୍ଦ୍ର ଭାବେ ଉଜ୍ଜ୍ୱଳ ହୋଇଉଠିଲା।

