Mon. Dec 23rd, 2024

ନ୍ୟୁଜ ଡେକ୍ସ: ଆଜିଠୁ ଆରମ୍ଭ କାର୍ତ୍ତିକ ବ୍ରତ। ଚଳଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର। ଧର୍ମ ମାସରେ ପୁଣ୍ୟ ଅର୍ଜନ କରିବାକୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଆଜିଠୁ କେବଳ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ରହିବ ।

ଶ୍ରୀକ୍ଷେତ୍ରରେ ଥିବା ହବିଷ୍ୟାଳି ମାନେ ସଂକଳ୍ପ କରି ଆଜିଠାରୁ ଚଉଁରା ମୂଳେ ରାଧାଦାମୋଦର ପୂଜା ସହ ହବିଷ୍ୟ‌ ବ୍ରତ ପାଳନ‌ କରିବା ଆରମ୍ଭ କରିଛନ୍ତି। ତେବେ ଆଜି ସନ୍ଧ୍ୟାରେ ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ ଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହବିଷ୍ୟାଳୀ ବ୍ରତ ୨୦୨୪ର ଶୁଭାରମ୍ଭ କରିବେ। ଏଥିସହ ପୁରୀ ବିଧାୟକ ଓ ସାଂସଦଙ୍କ ସହ ଅନ୍ୟାନ୍ୟ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଏକ ମାସ ଧରି ଚାଲିବାକୁ ଥିବା ଏହି ବ୍ରତରେ ହବିଷ୍ୟାଳୀମାନେ ଚଉରାମୂଳେ ରାଧାଦାମୋଦର ପୂଜା କରିବା ସହ ହବିଷ୍ୟ ବ୍ରତ ପାଳନ କରିବା ଆରମ୍ଭ କରିଛନ୍ତି।

ଶ୍ରୀକ୍ଷେତ୍ର ପୁରୀରେ ଏହି ବ୍ରତ ପାଳନର ବିଶେଷ ମହତ୍ତ୍ୱ ଥିବାରୁ ହବିଷ୍ୟାଳି ମାନଙ୍କ ଭିଡ ଜମିଛି ପୁରୀରେ। ସେପଟେ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ପାଳନ କରାଯାଉଥିଲେ ମଧ୍ୟ, କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦା ଦିନ ହବିଷ୍ୟାଳୀମାନେ ପରମ୍ପରାନୁସାରେ କାର୍ତ୍ତିକ ବ୍ରତ ଆରମ୍ଭ କରିବେ। ପଞ୍ଚତୀର୍ଥରେ ସାନ୍ନ କରି ବ୍ରାହ୍ମଣଙ୍କୁ ଗୁଆ ଓ ଛଞ୍ଚା ଟେକି ହବିଷ ଆରମ୍ଭ କରିବେ।

ବୃନ୍ଦାବତୀଙ୍କ ନିକଟରେ ପଞ୍ଚବର୍ଣ୍ଣ ମୁରୁଜ ପକାଇ କରିବେ ପୂଜାର୍ଚ୍ଚନା। ଶ୍ରୀଜଗନ୍ନାଥଙ୍କୁ ଦୀପ ଧୂପ ନୈବେଦ୍ୟ ଦେଇ ଶ୍ରୀମନ୍ଦିରରେ ରାଧାଦାମୋଦର ବେଶ ଦର୍ଶନ କରିବେ। ଏହି ମାସରେ ମହାପ୍ରଭୁଙ୍କୁ ସ୍ୱତନ୍ତ୍ର ବାଳଧୂପ ଭୋଗ କରାଯିବ। ଚଳିତ ବର୍ଷ ପଞ୍ଚୁକ ବ୍ରତ ପାଞ୍ଚଦିନ ପରିବର୍ତ୍ତେ ଚାରି ଦିନ ପଡୁଥିବାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ ହେବନାହିଁ।

Leave a Reply

Your email address will not be published. Required fields are marked *