Sun. Feb 22nd, 2026

ନ୍ୟୁଜ ଡେକ୍ସ : ଆରାବଳି ପର୍ବତମାଳା ସମ୍ପର୍କିତ ବିବାଦ ମାମଲାରେ ସୋମବାର ଦିନ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ଶୁଣାଣି କରିବେ। ସୁପ୍ରିମକୋର୍ଟ ସ୍ୱତଃପ୍ରବୃତ୍ତ ଭାବେ ଏହି ମାମଲାର ବିଚାର ଆରମ୍ଭ କରିଛନ୍ତି। ମୁଖ୍ୟ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ସମ୍ପୂର୍ଣ୍ଣ ବିବାଦର ଶୁଣାଣି କରିବେ। ଏହି ଖଣ୍ଡପୀଠରେ ବିଚାରପତି ଜେ.କେ. ମାହେଶ୍ୱରୀ ଏବଂ ଏ.ଜି. ମସିହ ମଧ୍ୟ ସାମିଲ ରହିବେ।ବିଶ୍ୱର ସର୍ବପୁରାତନ ପର୍ବତମାଳାମାନଙ୍କ ମଧ୍ୟରୁ ଗୋଟିଏ ଆରାବଳି ପର୍ବତମାଳା ପ୍ରାୟ ୭୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ବିସ୍ତୃତ।

ଏହା ଦିଲ୍ଲୀ-ଏନସିଆରକୁ ଥର ମରୁଭୂମିର ଧୂଳି ଏବଂ ମରୁଭୂମିକରଣରୁ ସୁରକ୍ଷା ଦେଇଥିବା ଏକ ପ୍ରାକୃତିକ ଢାଲ ଭାବେ ପରିଚିତ।ବର୍ତ୍ତମାନ ସରକାରଙ୍କ ଦ୍ୱାରା ଆରାବଳି ପର୍ବତମାଳା ପାଇଁ ୧୦୦ ମିଟର ଉଚ୍ଚତାର ନୂତନ ପରିଭାଷା ଘୋଷଣା ହେବା ପରେ ଏହାକୁ ନେଇ ଦେଶର ଅନେକ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଦେଖାଦେଇଛି। କଂଗ୍ରେସ ଅଭିଯୋଗ କରିଛି ଯେ, ବଡ଼ ପରିମାଣର ଖଣି ଖନନକୁ ସହଜ କରିବା ପାଇଁ ପର୍ବତମାଳାର ପରିଭାଷା ପରିବର୍ତ୍ତନ କରାଯାଇଛି। ତେବେ କେନ୍ଦ୍ର ସରକାର ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରି ଆରାବଳି କୌଣସି ବିପଦରେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ବିବାଦ ବଢ଼ିବା ପରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଜାରି କରି ଆରାବଳି ଅଞ୍ଚଳରେ କୌଣସି ନୂତନ ଖଣି ଲିଜ୍ ପ୍ରଦାନ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଛନ୍ତି।

ଏହାସହ ଗୁଜୁରାଟରୁ ଆରମ୍ଭ କରି ଜାତୀୟ ରାଜଧାନୀ ଅଞ୍ଚଳ ପର୍ଯ୍ୟନ୍ତ ଆରାବଳି ପର୍ବତମାଳାକୁ ଏକ ନିରନ୍ତର ଭୂତାତ୍ତ୍ୱିକ ଶୃଙ୍ଖଳ ଭାବେ ସୁରକ୍ଷା ଦେବାକୁ ପଦକ୍ଷେପ ନିଆଯାଇଛି। ICFREକୁ ଅତିରିକ୍ତ ସୁରକ୍ଷିତ କ୍ଷେତ୍ର ଚିହ୍ନଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ନୂତନ ନିୟମ ଯଦି ଲାଗୁ ହୁଏ, ତେବେ ଆରାବଳି ପର୍ବତମାଳାର ପ୍ରାୟ ୯୦ ପ୍ରତିଶତ ଅଂଶ ନଷ୍ଟ ହେବାର ଆଶଙ୍କା ରହିଛି। ଏହି ପରିପ୍ରେକ୍ଷିତରେ ସୋମବାରର ସୁପ୍ରିମକୋର୍ଟ ଶୁଣାଣିକୁ ଆରାବଳି ପର୍ବତମାଳାର ଭବିଷ୍ୟତ ଏବଂ ମରୁଭୂମିକରଣ ରୋକିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଗଣ୍ୟ କରାଯାଉଛି।

Leave a Reply

Your email address will not be published. Required fields are marked *