ନ୍ୟୁଜ ଡେକ୍ସ : ଆରାବଳି ପର୍ବତମାଳାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଜାରି କରିଛନ୍ତି। ସୋମବାର ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ନିଜ ୨୦ ନଭେମ୍ବରର ପୂର୍ବ ରାୟକୁ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ଲାଗୁ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହ କେନ୍ଦ୍ର ସରକାର ଓ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି।
ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଗାମୀ ଶୁଣାଣି ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରହିବ ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିଗକୁ ବିସ୍ତୃତ ଭାବରେ ବିଚାର କରାଯିବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୧ ଜାନୁଆରୀରେ ହେବ।ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଯେ, କୋର୍ଟଙ୍କ ରିପୋର୍ଟ କିମ୍ବା ନିର୍ଦ୍ଦେଶକୁ ଲାଗୁ କରିବା ପୂର୍ବରୁ ନିରପେକ୍ଷ ଓ ସ୍ୱତନ୍ତ୍ର ବିଶେଷଜ୍ଞଙ୍କ ମତାମତ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଆରାବଳି ପର୍ବତମାଳାର ସଠିକ ପରିଭାଷା ନିର୍ଦ୍ଧାରଣ ନହେଲେ ପରିବେଶକୁ ଗୁରୁତର କ୍ଷତି ପହଞ୍ଚିପାରେ ବୋଲି ସେ ମତ ପ୍ରକାଶ କରିଛନ୍ତି। ଆରାବଳି ବିବାଦରେ ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି।
ସେଥିରେ ଆରାବଳିର ପରିଭାଷାକୁ କେବଳ ୫୦୦ ମିଟର ଅଞ୍ଚଳରେ ସୀମିତ କରିବା ଫଳରେ ସଂରକ୍ଷଣ ପରିସର ସଂକୁଚିତ ହେଉଛି କି ନାହିଁ, ଏହା ଦ୍ୱାରା ଅଣ-ଆରାବଳି ଅଞ୍ଚଳର ପରିସର ବଢ଼ି ନିୟନ୍ତ୍ରିତ ଖନନକୁ ଅନୁମତି ମିଳିପାରିବ କି ନାହିଁ ଭଳି ପ୍ରସଙ୍ଗ ସାମିଲ ଅଛି।ଉଲ୍ଲେଖନୀୟ ଯେ, ୨୦ ନଭେମ୍ବରରେ ସୁପ୍ରିମକୋର୍ଟ ଆରାବଳି ପର୍ବତ ଓ ପର୍ବତମାଳାର ଏକ ସାଧାରଣ ପରିଭାଷାକୁ ସ୍ୱୀକାର କରି ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଓ ଗୁଜରାଟରେ ବ୍ୟାପିଥିବା ଏହି ପର୍ବତ ଶୃଙ୍ଖଳାରେ ଖନନ ଉପରେ ଅସ୍ଥାୟୀ ରୋକ ଲଗାଇଥିଲେ।
ଆରାବଳିର ଭୌଗୋଳିକ ସୀମା ଓ ସଠିକ ପରିଭାଷାକୁ ନେଇ ଦୀର୍ଘଦିନ ଧରି ବିବାଦ ଚାଲିଆସୁଛି। ସ୍ପଷ୍ଟ ପରିଭାଷା ନଥିବାରୁ ନିର୍ମାଣ କାର୍ଯ୍ୟ ଓ ଖନନରେ ବାରମ୍ବାର ନିୟମ ଉଲଂଘନ ହେଉଥିବା ଅଭିଯୋଗ ମଧ୍ୟ ରହିଛି। ତଥାପି, ସୁପ୍ରିମକୋର୍ଟ ପୂର୍ବରୁ ଆରାବଳିରେ ସମ୍ପୂର୍ଣ୍ଣ ଖନନ ନିଷେଧକୁ ବିରୋଧ କରିଥିଲେ। କୋର୍ଟଙ୍କ ମତରେ ସମ୍ପୂର୍ଣ୍ଣ କଟକଣା ଲଗାଇଲେ ବେଆଇନ ଖନନ କାର୍ଯ୍ୟକଳାପ ବୃଦ୍ଧି ପାଇପାରେ।

