Sun. Feb 22nd, 2026

ନ୍ୟୁଜ ଡେକ୍ସ : ବିଶ୍ୱବିଖ୍ୟାତ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଚାଲୁଥିବା ଅପଗ୍ରେଡେଡ୍ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର ମୁଖ୍ୟ କେନ୍ଦ୍ର ପାଲଟିଛି। ରବିବାର ଦିନ ଏହି ଶୋକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭାରି ଭିଡ ଦେଖାଯାଇଥିଲା। ପ୍ରଥମ ସୋରେ ମାତ୍ର ୨୯୪ ଜଣ ପର୍ଯ୍ୟଟକ ଟିକେଟ କାଟି ଶବ୍ଦ ଓ ଆଲୋକର ଅଦ୍ଭୁତ ମେଳକୁ ମନଭରି ଉପଭୋଗ କରିଥିଲେ।

ସୂର୍ଯ୍ୟମନ୍ଦିରର ଦକ୍ଷିଣ–ପୂର୍ବ ପାର୍ଶ୍ୱରେ ୮ଟି ଅତ୍ୟାଧୁନିକ ପ୍ରୋଜେକ୍ଟର ସଂଯୋଜନ କରାଯାଇ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ସୋକୁ ନୂଆ ଆକୃତି ଦିଆଯାଇଛି। ଆଲୋକ ଓ ଶବ୍ଦର ସମନ୍ୱୟ ମାଧ୍ୟମରେ ପ୍ରାୟ ୪୦ ମିନିଟ୍ ଧରି ସୂର୍ଯ୍ୟମନ୍ଦିରର ଐତିହ୍ୟ, ସ୍ଥାପତ୍ୟ କଳା ଓ ସଂସ୍କୃତିକ ଗୌରବକୁ ଜୀବନ୍ତ ଭାବରେ ପ୍ରଦର୍ଶିତ କରାଯାଉଛି।ଓପନ ସାଉଣ୍ଡ ସିଷ୍ଟମରେ ହିନ୍ଦୀ ଭାଷାରେ ପ୍ରସ୍ତୁତ ଏହି କାହାଣୀ ପର୍ଯ୍ୟଟକଙ୍କୁ ସୂର୍ଯ୍ୟମନ୍ଦିରର ଗତିତତ୍ତ୍ୱ, ଐତିହାସିକ ପୃଷ୍ଠଭୂମି ଓ କଳିଙ୍ଗ ସ୍ଥାପତ୍ୟର ଗୌରବମୟ ଯାତ୍ରାରେ ନେଇଯାଉଛି। ଏକକାଳୀନ ୩ଶହରୁ ଅଧିକ ପର୍ଯ୍ୟଟକ ବସିପାରିବା ଭଳି ସ୍ୱତନ୍ତ୍ର ଓ ସୁବିଧାଜନକ ଚେୟାର ବ୍ୟବସ୍ଥା କରାଯାଇଥିବାରୁ ପର୍ଯ୍ୟଟକମାନେ ଆରାମଦାୟକ ଭାବରେ ଶୋ ଉପଭୋଗ କରୁଛନ୍ତି।

ବର୍ତ୍ତମାନ ସନ୍ଧ୍ୟା ୬ଟା ୩୦ରୁ ୭ଟା ୧୦ ଏବଂ ୭ଟା ୩୦ରୁ ୮ଟା ୧୦ ପର୍ଯ୍ୟନ୍ତ ଦିନକୁ ଦୁଇଟି ସୋ ପରିଚାଳିତ ହେଉଛି। ଆଗାମୀ ଗ୍ରୀଷ୍ମ ଋତୁରେ ଦିନ ଲମ୍ବା ହେବାକୁ ଦୃଷ୍ଟିରେ ରଖି ସୋର ସମୟରେ ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି।ପର୍ଯ୍ୟଟକମାନଙ୍କ ମତରେ, ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ସୋ କେବଳ ମନୋରଞ୍ଜନ ନୁହେଁ, ବରଂ ସୂର୍ଯ୍ୟମନ୍ଦିରର ଗରିମା ଓ ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ନୂଆ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପ୍ରତିଷ୍ଠିତ ହେଉଛି।

Leave a Reply

Your email address will not be published. Required fields are marked *